
ପୁନେ : ମହାରାଷ୍ଟ୍ର ପୁନେ ସ୍ଥିତ ଚିଞ୍ଚୱାଡ଼ ପିସିଏମ୍ସି ଟାଉନ ହଲ ଠାରେ ‘ଭେଟଘାଟ କଲ୍ଚରାଲ୍ ଏସୋସିଏସନ୍’ ପକ୍ଷରୁ ‘ନୂଆଁଖାଇ ଭେଟଘାଟ’ ଉତ୍ସବ ଆୟୋଜିତ ହୋଇଯାଇଛି । ଏସୋସିଏସନର ସଭାପତି ହେମସାଗର ସାହୁ ଏବଂ ସଚିବ ରାଜନ୍ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛଅଶହରୁ ଅଧିକ ବୁଦ୍ଧିଜୀବୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଓ ସଂସ୍କୃତିପ୍ରେମୀ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପୂଜାର୍ଚ୍ଚନା ପୂର୍ବକ ନୂତନ ଅମଳ ଧାନର ଭୋଗ ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଅର୍ପଣ କରାଯାଇଥିଲା । ସମ୍ବଲପୁରୀ ପୋଷାକ ପରିଧାନ ପୂର୍ବକ ପଞ୍ଚବାଦ୍ୟରେ ଶତୃଘ୍ନ ଲୁହାଙ୍କ ସମ୍ବଲପୁରୀ ଗୀତ ଏବଂ ନୃତ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା । ଏହି ଅବସରରେ ସ୍ୱର୍ଗତ ବାପି ଡେଭିଡଙ୍କୁ ମରଣୋତ୍ତର ଭାବେ ସମ୍ମାନିତ କରାଯାଇଥିଲା । ମଧୁସ୍ମିତା ଓ ପ୍ରତ୍ୟୁଷା ମଞ୍ଚ ପରିଚାଳନା କରିଥିଲେ । ବଲାଙ୍ଗିରର ପ୍ରଖ୍ୟାତ ପାଚିକା ଗୋକୁଳ ମିଶ୍ରଙ୍କ ଦ୍ୱାରା ପ୍ରସ୍ତୁତ ନୂଆଁଖାଇର ପାରମ୍ପରିକ ଖାଦ୍ୟ ଭାତ, ଡାଲି, କରଡ଼ି ଲେଥା, ଆମ୍ବୁିଲ, ରାଇ ପରିବେଷଣ କରାଯାଇଥିଲା । ଏହି ଅବସରରେ ଏକ ବାର୍ଷିକ ପତ୍ରିକା ଉନ୍ମୋଚିତ ହୋଇଥିଲା । ସୂଚନାଯୋଗ୍ୟ ଯେ, ଗତ ୨୦୦୫ ମସିହା ଠାରୁ ପୁନେ ଠାରେ ଭେଟଘାଟ କଲ୍ଚରାଲ ଏସୋସିଏସନ୍ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଛି । ପରିଶେଷରେ ଅନୁପ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।