jayashree

ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାଠ୍ୟଦାନ ହେବ ସ୍ଥାନାନ୍ତର

  • ନୂତନ କୋଠା ନିର୍ମାଣ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରଚେଷ୍ଟା : ୩୮ କୋଟିରୁ ଅଧିକ ଟଙ୍କା ମଞ୍ଜୁର

ବାରିପଦା, (ଦେବସ୍ମିତ ଚୌଧୁରୀ) : ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାରିପଦାର ଜରାଜୀର୍ଣ୍ଣ ଓ ଅସୁରକ୍ଷିତ କୋଠାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ଜୀବନ ଓ ସୁରକ୍ଷାକୁ ପ୍ରାଥମିକତା ଦେଇ ବିଦ୍ୟାଳୟର ପାଠ୍ୟଦାନକୁ ବିକଳ୍ପ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉଦ୍ୟମ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବିକଳ୍ପ ସ୍ଥାନ ଚିହ୍ନଟ କରାଯାଇଛି । ଏହା ସହିତ କଲେଜ ପାଇଁ ନୂତନ କୋଠା ନିର୍ମାଣ ସମ୍ପର୍କରେ ମଧ୍ୟ ପ୍ରକ୍ରିୟା ହାତକୁ ନିଆଯାଇଛି । ପ୍ରାୟ ଏକ ସପ୍ତାହ ପୂର୍ବେ ମନ୍ତ୍ରୀ ଡ. ମହାପାତ୍ର ଉକ୍ତ ଶିକ୍ଷାନୁଷ୍ଠାନ ପରିସର ପରିଦର୍ଶନ କରି ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ । ପରିଦର୍ଶନ ପରେ ବିଦ୍ୟାଳୟର ବିଭିନ୍ନ ବିଭାଗକୁ ବିକଳ୍ପ ସ୍ଥାନକୁ ସ୍ଥାନାନ୍ତର କରିବା ସହ ନୂତନ କୋଠା ନିର୍ମାଣ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ନେଇ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପାଦନ କରିବା ପାଇଁ ମନ୍ତ୍ରୀ ଡ. ମହାପାତ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଆଲୋଚନା କରି ୩୮ କୋଟିରୁ ଅଧିକ ଟଙ୍କା ଇତି ମଧ୍ୟରେ ମଞ୍ଜୁର କରାଇଛନ୍ତି । ଏହାର ପରବର୍ତ୍ତୀ ପଦକ୍ଷେପ ଭାବେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଆବାହକତ୍ୱରେ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରି କଲେଜର ବର୍ତ୍ତମାନ ସ୍ଥିତି, ଛାତ୍ରଛାତ୍ରୀଙ୍କ ସୁରକ୍ଷା, ବିକଳ୍ପ ପାଠ୍ୟଦାନ ବ୍ୟବସ୍ଥା ଏବଂ ନୂତନ କୋଠା ନିର୍ମାଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ବିକଳ୍ପ ସ୍ଥାନରେ ପାଠ୍ୟଦାନ ବ୍ୟବସ୍ଥାକୁ ଶୀଘ୍ର କାର୍ଯ୍ୟକାରୀ କରିବା ଏବଂ ସମ୍ପୃକ୍ତ ଅନୁଷ୍ଠାନଗୁଡ଼ିକ ସହ ଆବଶ୍ୟକ ସମନ୍ୱୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍ଥାନାନ୍ତରଣ ପ୍ରକ୍ରିୟାକୁ ତୁରନ୍ତ ଏବଂ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ ଡ. ମହାପାତ୍ର କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇ ବିକଳ୍ପ ସ୍ଥାନରେ ପାଠ୍ୟଦାନ ପାଇଁ ଆବଶ୍ୟକ ଶ୍ରେଣୀକକ୍ଷ, ଆସବାବପତ୍ର, ବିଦ୍ୟୁତ୍‌ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ତୁରନ୍ତ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି । ବୈଠକର ନିଷ୍ପତ୍ତି ଅନୁଯାୟୀ, ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ପାଠ୍ୟଦାନକୁ ତକତପୁର ଅଞ୍ଚଳରେ ଥିବା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ, ଉତ୍କଳମଣି ଗୋପବନ୍ଧୁ ଦାସ ସରକାରୀ ବି.ଇଡି. ମହାବିଦ୍ୟାଳୟ ଏବଂ ସରକାରୀ ବୈଷୟିକ ତାଲିମ ଅନୁଷ୍ଠାନରେ ସମୟ ନିର୍ଦ୍ଧାରଣ କରାଯାଇ ଶିକ୍ଷାଦାନ କରାଯିବ । ସମଗ୍ର ସ୍ଥାନାନ୍ତରଣ ପ୍ରକ୍ରିୟା ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପାଦିତ ହେବ । ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଯେପରି ପ୍ରଭାବିତ ନହୁଏ ଏବଂ ସୁରକ୍ଷିତ ପରିବେଶରେ ପାଠ୍ୟଦାନ ଜାରି ରହେ, ସେଥିପାଇଁ ସମ୍ପୃକ୍ତ ସମସ୍ତ ଅନୁଷ୍ଠାନ ଓ ବିଭାଗ ମଧ୍ୟରେ ଆବଶ୍ୟକ ସମନ୍ୱୟ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସୟ୍ ମତବ୍ୟକ୍ତ କରିଛନ୍ତି । ବୈଠକରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଅଧୀକ୍ଷଣ ଯନ୍ତ୍ରୀ ରୋହନ ରାୟ୍, ତହସିଲଦାର ସପନ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା, ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ସ୍ଥାନାନ୍ତରଣ ପ୍ରକ୍ରିୟା ହେବାକୁ ଥିବା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ, ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଏବଂ ସରକାରୀ ବୈଷୟିକ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.