
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ହରିଜନ ସାହିରେ ଘଟିଥିବା ସଙ୍ଘବଦ୍ଧ ହିଂସା, ପୋଲିସ କାର୍ଯ୍ୟରେ ବାଧା ଓ ସରକାରୀ ସମ୍ପତ୍ତି ନଷ୍ଟ ଘଟଣାରେ ପୋଲିସ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରବିବାର ୧୩ ଜଣଙ୍କୁ ଗିରଫ କରିଛି । ସେପ୍ଟେମ୍ବର ୧୪ ତାରିଖ ଅପରାହ୍ନ ପ୍ରାୟ ୪ଟା ବେଳେ କୁକୁଡ଼ାଖଣ୍ଡି ବାଉରୀ ସାହିରେ ୮-୧୦ ଜଣ ସଶସ୍ତ୍ର ଯୁବକ ମୋଟରସାଇକେଲରେ ଆସି ଖଣ୍ଡା ଭଳି ମାରଣାସ୍ତ୍ର ଦେଖାଇ ୨ଟି ଯୁଟ୍ ବୋମା ଫିଙ୍ଗି ଆତଙ୍କ ଖେଳାଇଥିଲେ । ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗାଡି ସହ ଧରିପକାଇଥିଲେ । ପରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା । ଧରାପଡିଥିବା ଜଣେ ଯୁବକଙ୍କୁ ଲୋକେ ନିର୍ମମ ଭାବେ ପିଟିବାରୁ ସେ ରକ୍ତାକ୍ତ ହୋଇଥିଲେ, ଅନ୍ୟ ଜଣଙ୍କୁ ସାହିର କମ୍ୟୁନିଟି ହଲରେ ତାଲା ପକାଇ ରଖିଥିଲେ । ଖବର ପାଇ ପୋଲିସ ଉଦ୍ଧାର ପାଇଁ ପହଞ୍ଚିବାରୁ ଉତ୍ତ୍ୟକ୍ତ ଭିଡ଼ ପୋଲିସକୁ ଘେରି ଯାଇଥିଲା । ପୋଲିସ ଗାଡି ଉପରକୁ ପଥର ମାଡ କରି ଭାଙ୍ଗି ଦେବା ସହ କର୍ମଚାରୀଙ୍କୁ ଧମକ ଓ ଅଶ୍ଳୀଳ ଗାଳିଗୁଲଜ କରିଥିଲେ । ରାତି ୨ଟା ଯାଏ ଜଣେ ବ୍ୟକ୍ତି ହଲ ଭିତରେ ବନ୍ଦୀ ହୋଇ ରହିଥିଲେ । ଶେଷରେ ବରିଷ୍ଠ ପୋଲିସ ଅଧିକାରୀ, ଅତିରିକ୍ତ ଫୋର୍ସ ଓ କୁକୁଡ଼ାଖଣ୍ଡି ତହସିଲଦାର-କମ୍-ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ହସ୍ତକ୍ଷେପରେ ବନ୍ଦୀଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତି କରାଯାଇଥିଲା ।ଏହି ଘଟଣାକୁ ନେଇ ସଦର ଥାନାରେ ୪ଟି ମାମଲା ରୁଜୁ ହୋଇଛି । ଥାନା ଅଧିକାରୀ ସୁଚିତ୍ରା ପରିଡାଙ୍କ ଏତଲା ଆଧାରରେ – ମୋବ୍ ହିଂସା, ପୋଲିସ କାର୍ୟ୍ୟରେ ବାଧା, ବେଆଇନ ଅଟକ ଓ ପୀଡିପିପି ଆକ୍ଟ, କୁକୁଡ଼ାଖଣ୍ଡିରେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ, ସଶସ୍ତ୍ର ଗ୍ୟାଙ୍ଗ ଦ୍ୱାରା ବୋମାମାଡ, ଧରାପଡିଥିବା ଗ୍ୟାଙ୍ଗ ସଦସ୍ୟଙ୍କୁ ମାଡ ମାରିବା ଘଟଣାରେ ମାମଲା ରୁଜ୍ଜୁ ହୋଇଥିଲା । ତେବେ ପୋଲିସ ଘଟଣାସ୍ଥଳ ପରିଦର୍ଶନ, ସାକ୍ଷୀ ପରୀକ୍ଷା ଓ ନକ୍ସା ପ୍ରସ୍ତୁତ ପରେ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସମସ୍ତ ମାମଲାର ତଦନ୍ତ ଜାରି ରହିଛି । ବ୍ରହ୍ମପୁର ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଆଇନ ହାତକୁ ନ ନେବାକୁ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଅପିଲ କରାଯାଇଛି । ମୋବ୍ ହିଂସାରେ ସାମିଲ ଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଚେତାବନୀ ଦେଇଛି ।