jayashree

ବସୁଧୈବ କୁଟୁମ୍ବକମ୍ ଓ ପ୍ରମେୟ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

  • ବୃକ୍ଷ ହେଉଛି ପୃଥିବୀର ନୀରବ କବି

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ୍ ଓ ଦୈନିକ ପ୍ରମେୟର ମିଳିତ ଆନୁକୂଲ୍ୟରେ ଓଏସ୍‌ଏପି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷରୋପଣ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଚୌଧୁରୀଙ୍କ ସଭାପତିତ୍ୱ ଓ ବସୁଧୈବ କୁଟୁମ୍ବକମ୍‌ର ମୁଖ୍ୟ ପୃଷ୍ଠପୋଷକ ତଥା ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ତହସିଲଦାର ଗୋଲକ ବିହାରୀ ମଙ୍ଗରାଜ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ନାୟକ, ଜର୍ଣ୍ଣାଲିଷ୍ଟସ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ମୁଖ୍ୟବକ୍ତା ଭାବେ ରାଉରକେଲା ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ ଯୋଗଦେଇ ବୃକ୍ଷରୋପଣର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ କହିଲେ ଯେ, ନେଚର ଓ ନଶ୍ୱର ହେଉଛି ଉଚ୍ଚାରଣ ଓ ଆଚରଣର ସମନ୍ୱୟ । ବୃକ୍ଷ ହେଉଛି ମା’ ସଦୃଶ । ବୃକ୍ଷରୋପଣ ଓ ତାର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତି ପାଖାପାଖି ୫୪୦ ରୁ ୫୬୦ ଲିଟର ଅମ୍ଳଜାନ ଗ୍ରହଣ କରୁଥିବାବେଳେ ଗୋଟିଏ ପ୍ରାପ୍ତବୟସ୍କ ଗଛଟିଏ ୨୭୦ ଲିଟର ପର୍ଯ୍ୟନ୍ତ ଅମ୍ଳଜାନ ଦେଇଥାଏ । ତେଣୁ ଅତିକମରେ ପ୍ରତ୍ୟେକ ବ୍ୟକ୍ତି ଦୁଇଟି ଗଛ ଲଗାଇବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ବୃକ୍ଷରୋପଣ କିପରି ଆଗାମୀ ପିଢି ପାଇଁ ଆବଶ୍ୟକତା ଓ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ବସୁଧୈବ କୁଟୁମ୍ବକମ୍‌ର ସମ୍ପାଦକ ଅନିଲ ଦାଶ ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ ପାଳନ ଓ ଅନୁଷ୍ଠାନର ଆଭିମୁଖ୍ୟ ତଥା ସଭାପତି କବି ବିଜୟଲକ୍ଷ୍ମୀ ପଟ୍ଟନାୟକ କବିତା ମାଧ୍ୟମରେ ସଚେତନ ବାର୍ତ୍ତା ବାଣ୍ଟିବା ସହ ବୃକ୍ଷ ହେଉଛି ପୃଥିବୀର ନୀରବ କବି ବୋଲି ମତ ରଖିଥିଲେ । ସଂଯୋଜକ ଶ୍ରୀ ପଟ୍ଟନାୟକ ଅତିଥି ମାନଙ୍କ ପରିଚୟ ସହ ଅଶ୍ୱସ୍ଥ ଗଛ କିପରି ବିଷ୍ଣୁ ବୃକ୍ଷ ଓ ବୃକ୍ଷରୋପଣ ପାଇଁ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରି ଏଥିପାଇଁ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ସଭାପତିତ୍ୱ କରୁଥିବା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚୌଧୁରୀ ସ୍ୱାଗତ ଅଭିଭାଷଣ ରଖିଥିଲେ । ଏହି ଅବସରରେ ବସୁଧୈବ କୁଟୁମ୍ବକମ୍ ତରଫରୁ ବିଦ୍ୟାଳୟକୁ ଏକ ସ୍ମାରକ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବସୁଧୈବ କୁଟୁମ୍ବକମ୍‌ର କର୍ମକର୍ତ୍ତା ଓ ପ୍ରମେୟର ସମସ୍ତ ସାମ୍ବାଦିକ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷର ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ତରଫରୁ ମୌସୁମୀ ମିତ୍ର, ମନୋଜ କୁମାର ସାହୁ, ସଂଗୀତାରାଣୀ ବିଶ୍ୱାଳ, ଅଚଳା ମିଶ୍ର, ପ୍ରତାପ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା, ରବିନାରାୟଣ ପାତ୍ର, ଅଞ୍ଜନା ମହିଳା ଗୃପ ତରଫରୁ ରୀତାରାଣୀ, ମୁଲିଆଣୀ, ସୀମା, ଚୋନାଟି ଓ ପ୍ରମେୟ ତରଫରୁ ନରହରି ଦାସ, ସୁବ୍ରତ ଚୌଧୁରୀ, ମନୋଜ କୁମାର ଜେନା, ସୁଶାନ୍ତ କୁମାର ସାହୁ, ସନ୍ତୋଷ କୁମାର ଦାସ, ମୃତ୍ୟୁଞ୍ଜୟ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପ୍ରମେୟ ତରଫରୁ ନରହରି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.