
ରାଉରକେଲା, (ସସ୍ମିତା ପ୍ରଧାନ) : ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ ପର୍ଯ୍ୟଟନ ବିଭାଗ ଓ ରାଉରକେଲା ମହାନଗର ନିଗମର ମିଳିତ ସହଯୋଗରେ ‘ରାଉରକେଲା ପ୍ରମୋ ରନ୍’ ଅୟୋଜିତ ହୋଇଥିଲା । ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ଥାନକୁ ଆହୁରି ସୁଦୃଢ଼ କରିବା ସହ ସ୍ଵଚ୍ଛତା ହିଁ ସେବା ଅଭିଯାନରେ ଜନଭାଗିଦାରୀକୁ ସକ୍ରିୟ କରିବା ତଥା ବ୍ୟକ୍ତିଗତ ଜୀବନରେ ସ୍ଵଚ୍ଛତା ଆପଣେଇବା ସହ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ସ୍ଵଚ୍ଛତା ବଜାୟ ରଖିବା ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ମାରାଥନରେ ୫୫୦ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ବିଧାୟକ ରାଉରକେଲା ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ଉପଜିଲ୍ଲାପାଳ ପାନପୋଷ ଚନ୍ଦ୍ରକାନ୍ତ ମଲ୍ଲିକ, ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ଉପାୟୁକ୍ତ ଅନିତା ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଉଲ୍ଲେଖ ଯୋଗ୍ୟ କି ଅନଲାଇନ୍ ମାଧ୍ୟମରେ ପଞ୍ଜୀକରଣ କରିଥିବା ପ୍ରତିଯୋଗୀମାନେ ଆସନ୍ତା ୧୩ ଡିସେମ୍ବର ୨୦୨୬ରେ ଆୟୋଜିତ ହେବାକୁ ଥିବା ‘ପୁରୀ କୋଷ୍ଟାଲ ମାରାଥନ୍–୨୦୨୬’ରେ ଅଂଶଗ୍ରହଣ କରିବେ ।