
ଗୋପାଳପୁର, ବାଲେଶ୍ୱର : ଏ ବର୍ଷ ଆମେ ୮୦ ତମ ସ୍ୱାଧୀନତା ଦିବସ ପାଳନ କରିଛୁ । ଏହା ଆମ ୧୪୦ କୋଟି ଭାରତୀୟ ମାନଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ । ଦୀର୍ଘ ୨୦୦ ବର୍ଷରୁ ଅଧିକ ବର୍ଷ ପର୍ଯ୍ୟନ୍ତ ଅହଙ୍କାରୀ ନିଷ୍ଠୁର ଇଂରେଜ ମାନେ ଆମ ଦେଶରେ ଆଧିପତ୍ୟ ବିସ୍ତାର କରିଥିଲେ । ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ଆମ ଦେଶର ଏକତା ଓ ଅଖଣ୍ଡତାକୁ କ୍ଷୁର୍ଣ୍ଣ କରିବା । ସେମାନେ ଜାଣିଶୁଣି ବିଭିନ୍ନ ସମ୍ପ୍ରଦାୟ ଯେପରିକି ହିନ୍ଦୁ, ମୁସଲିମ, ଶିଖି ଓ ଇଶାଇ ମଧ୍ୟରେ ବିବାଦର ସୂତ୍ରପାତ କରାଉଥିଲେ । ସେମାନଙ୍କ ମନ ଭିତରେ ହିଂସା ପ୍ରତିଶୋଧର ବହ୍ନି ପ୍ରଜ୍ୱଳିତ କରାଇବା ଓ ଧର୍ମ ଜାତି ଆଧାରରେ ଆମ ଦେଶକୁ ବିଭାଜିତ କରିବା, ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା । ନିଜର ମନ୍ଦ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ଇଂରେଜମାନେ ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ନିଜର କଳ, ବଳ ଓ କୌଶଳ ପ୍ରୟୋଗ କରିଥିଲେ । ଅନେକାଂଶରେ ସେମାନେ ନିଜ ଯୋଜନାରେ ସଫଳ ହୋଇଥିଲେ । ସାମାନ୍ୟ କିଛି ଅର୍ଥ ଓ କ୍ଷମତା ଲୋଭରେ କିଛି ବ୍ୟକ୍ତି ବିଶ୍ୱାସଘାତ କରି ଆମ ସ୍ୱାଧୀନତା ପାଇବାର ଆଶାକୁ ଶିଥିଳ କରୁଥିଲେ । ସେହି ଦେଶଦ୍ରୋହୀ ମଧ୍ୟରେ ମୀରଜାଫର, ଜୟଚନ୍ଦ୍ର, ଜୟ ଗୋପାଳ ଭଳି, କିଛି ବିଶ୍ୱାସଘାତକ ଥିଲେ ଯାହା ନୃଶଂସ ଅଧର୍ମୀ ଆତ୍ମଗର୍ବୀ ଅହଙ୍କାରୀ ଇଂରେଜମାନଙ୍କୁ ଧରି ୨୦୦ ବର୍ଷ ଧରି ଆମ ଦେଶର ଲୋକମାନଙ୍କୁ ଗୁଲାମ ଓ ପରାଧୀନ କରି ରଖିବାରେ ସହାୟ ହୋଇଥିଲା । ସ୍ୱାଧୀନତା ସଂଗ୍ରାମୀଙ୍କର ତ୍ୟାଗ ଓ ବଳିଦାନ ଦ୍ୱାରା ମାତୃଭୂମି ଭାରତ ଅହଙ୍କାରୀ, ଅଧର୍ମୀ, ନିଷ୍ଠୁର, ହିଂସ୍ର ଓ ଅତ୍ୟାଚାରୀ ଇଂରେଜ ମାନଙ୍କର ଗୁଲାମୀରୁ ମୁକ୍ତ ହୋଇପାରିଛି । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଠାରୁ ଆରମ୍ଭ କରି, ଭଗତ ସିଂ, ଜୟୀ ରାଜଗୁରୁ, ଶୁକଦେବ, ସୁବାଷ ବୋଷ, ତାନ୍ତ୍ରିଆ ଟୋପେ, ରାଣୀ ଲକ୍ଷ୍ମୀବାୟୀଙ୍କ ଅବଦାନ ଅତୁଳନୀୟ ଯାହାକୁ ଶବ୍ଦରେ ପ୍ରକାଶ କରିବା ଅସମ୍ଭବ । ଇତିହାସର ପୁଷ୍ଠାକୁ ଆମେ ଯଦି ଅବଲୋକନ କରିବା ଦେଖିବା ଅନେକ ବିଦ୍ୱାନ ବ୍ୟକ୍ତି ଏହା ମତ ବ୍ୟକ୍ତ କରିଛନ୍ତି କି “ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଅହିଂସା ନୀତିକୁ ପାଥେୟ କରି ଆମେ ସ୍ୱାଧୀନତା ହାସଲ କରିଥିଲୁ ଏବଂ ପରାଧୀନ ଶିକୁଳିରୁ ଆମେ ମୁକ୍ତ ହୋଇଥିଲୁ” । “କେବଳ ଗାନ୍ଧିଜୀଙ୍କର ଅହିଂସା ନୀତି ବଳରେ ଆମେ ସ୍ୱାଧୀନତା ହାସଲ କରିପାରିଥିଲୁ” ଏହା କହିବା ସହିଦ ଭଗତ ସିଂ ଶୁକଦେବ, ରାଜଗୁରୁ, ସୁବାଷ ବୋଷଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କର ବଳିଦାନର ଅପମାନ ହେବ । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଠାରୁ ଆରମ୍ଭ କରି ସହିଦ ଭଗତ ସିଂ, ପର୍ଯ୍ୟନ୍ତ ସବୁ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଆପ୍ରାଣ ଉଦ୍ୟମ, ମାତୃଭୂମି ପାଇଁ ନିଃସ୍ଵାର୍ଥପର ଭଲପାଇବା, ତ୍ୟାଗ, ବଳିଦାନକୁ ପାଥେୟ କରି ଆମ ଦେଶ ଇଂରେଜ ମାନଙ୍କ ଗୁଲାମୀରୁ ମୁକ୍ତ ହୋଇଥିଲା । ଆମ ଦେଶକୁ ସ୍ୱାଧୀନ କରିବାରେ ଉଭୟ ଚରମପନ୍ଥୀ ଓ ନରମପନ୍ଥୀ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଅବଦାନ ରହିଛି ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ । ଇତିହାସର ପୁଷ୍ଠାକୁ ଅବଲୋକନ କଲେ ଯେଉଁ କେତେ ଜଣ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବୀରତ୍ୱ ଓ ସାହସୀକତାର ଗାଥା ସଦା ସର୍ବଦା ଯୁବ ସମାନ ପାଇଁ ପ୍ରେରଣାଦାୟୀ ହୋଇ ରହିଛି । ସେମାନଙ୍କ ମଧ୍ୟରେ ସହୀଦ ଭଗତ ସିଂ, ଅନ୍ୟତମ ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ସବୁଠାରୁ ବ୍ୟାପକ ଓ ଦୀର୍ଘସ୍ଥାୟୀ ପ୍ରଭାବ ବିସ୍ତାର କରିଥିବା ଏବଂ ଯୁବ ସମାଜ ପାଇଁ ପ୍ରେରଣାର ଉର୍ତ୍ସ ଥିଲେ ସହୀଦ ଭଗତ ସିଂ । ମାତ୍ର ୨୩ ବର୍ଷର ଥିବା ସମୟ ରେ ସେ ନିଜର ଜୀବନକୁ ଦେଶମାତୃକାର ସେବା ପାଇଁ ଉତ୍ସର୍ଗୀକୃତ କରିଥିଲେ ଏବଂ ହସି ହସି ଫାଶୀ ଖୁଣ୍ଟରେ ଝୁଲି ଯାଇଥିଲେ । ମାନବ ସଭ୍ୟତା ଥିବା ପର୍ଯ୍ୟନ୍ତ ସହୀଦ ଭଗତସିଂଙ୍କ ବୀରତ୍ୱର ଗାଥା, ତ୍ୟାଗ ଓ ବଳିଦାନ ଇତିହାସର ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ୨୩ ବର୍ଷ ବୟସ ରେ ଅଧିକାଂଶ ଯୁବକ ନିଜ ଜୀବନର ଅର୍ଥ ଓ ଧନ ସମ୍ପତି ଖୋଜିବାରେ ବ୍ୟସ୍ତ ଥିବା ବେଳେ ଭଗତ ସିଂ ସେହି ବୟସ ବେଳକୁ ବୀରତ୍ୱ, ଦେଶପ୍ରେମ ଓ ବଳିଦାନର ସର୍ବୋତ୍ତମ ଉଦାହରଣ ସୃଷ୍ଟି କରି ଅମର ହୋଇ ସାରିଥିଲେ । ସେ ୧୯୦୭ ମସିହା ସେପ୍ଟେମ୍ବର ମାସ ୨୮ ତାରିଖରେ ପଞ୍ଜାବର ବଙ୍ଗା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତୁଳସୀ ଦୁଇପତ୍ରରୁ ବାସିଲା ପରି ତାଙ୍କର ଦେଶପ୍ରେମର ନିଦର୍ଶନ ବାଲ୍ୟ କାଳରୁ ପରିଲକ୍ଷିତ ହୋଇଥିଲା । ସେତେବେଳେ ସମସ୍ତେ ଉତ୍ତମ ଶିକ୍ଷା ପାଇଁ ଲାହୋରର ବ୍ରିଟିଶ ସ୍କୁଲରେ ପଢିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ବେଳେ, ଭଗବତ ସିଂ, ବ୍ରିଟିଶ ଶିକ୍ଷା ଅନୁଷ୍ଠାନରେ ପଢିବାକୁ ଅନିଚ୍ଛା ପ୍ରକାଶ କରିଥିଲେ ଏବଂ ଆର୍ଯ୍ୟ ସମାଜ ଦ୍ୱାରା, ପରିଚାଳିତ ସ୍କୁଲ ଓ ପରେ ଲାଲା ଲାଜପତ ରାୟଙ୍କ ଦ୍ୱାରା ସ୍ଥାପିତ ନେସନାଲ କଲେଜରେ ଭର୍ତ୍ତି ହୋଇଥିଲେ । ମାତ୍ର ୧୨ ବର୍ଷର ହୋଇଥିବା ବେଳେ, ସେ ଜାଲିଆନାବାଗ ଗଣହତ୍ୟାର କିଛି ଘଣ୍ଟା ପରେ ଦୀର୍ଘ ୫୦ କିଲୋମିଟରର ଯାତ୍ରା ପାଦରେ ଚାଲି ଚାଲି ଘଟଣା ସ୍ଥଳେ ପହଂଚିଥିଲେ । ହଜାର ହଜାର ମୃତ ଦେହର ହୃଦୟ ବିଦାରକ ଦୃଶ୍ୟ ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ସେ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନର ଘୋଷଣା ପରେ ଉତ୍ସାହିତ ହୋଇ ଅଂଶ ଗ୍ରହଣ କରିଥିଲେ । କିନ୍ତୁ ୧୯୨୨ର ଚଉରୀ ଚଉରା ଘଟଣା ପରବର୍ତ୍ତୀ, ଗାନ୍ଧିଜୀଙ୍କ ନିଷ୍ପତି ତାଙ୍କୁ ନିରାଶ କରିଥିଲା । ୧୯୨୮ରେ ଇଂରେଜ ମାନଙ୍କ ଲାଠି ମାଡ଼ରେ ଆହତ ହୋଇ ଲାଲା ଲାଜପତ ରାୟଙ୍କ ମୃତ୍ୟୁ ଘଟିବା ପରେ, ଭଗତସିଂ ଗାନ୍ଧିଜୀଙ୍କର ଅହିଂସାତ୍ମକ ନୀତି ପରିବର୍ତ୍ତେ, ହିଂସାତ୍ମକ ନୀତି ଆପଣେଇବା ଉଚିତ ବୋଲି ମନେକରିଥିଲେ, ଲାଲା ଲଜପାତ ରାୟଙ୍କ ମୃତ୍ୟୁର ପ୍ରତିଶୋଧ ନେବାପାଇଁ, ଶିବରାମ ରାଜଗୁରୁ, ସୁଖଦେବ ଥପର ଓ ଚନ୍ଦ୍ରଶେଖରଙ୍କ ସହ ମିଶି ଏକ ବ୍ରିଟିଶ ପୋଲିସଙ୍କୁ ଅଧିକାରୀଙ୍କୁ ହତ୍ୟା କରିଥିଲେ । ଇଂରେଜ ମାନେ ଯୋଜନା ବଦ୍ଧ ଭାବରେ ଷଡ଼ଯନ୍ତ୍ର କରି ଭଗତ ସିଂ, ସୁଖଦେବ, ରାଜଗୁରୁଙ୍କୁ ୨୩ ମାର୍ଚ୍ଚ ୧୯୩୧ ମସିହା ସନ୍ଧ୍ୟା ପ୍ରାୟ ୭.୩୩ରେ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ । ଫାଶୀ ଖୁଣ୍ଟ ଅଭିମୁଖେ ଯିବାବେଳେ,, ସେମାନଙ୍କ ମୁଖରୁ ଇଂକଲାବ ଜିନ୍ଦାବାଦର ନାରା ଗୁଞ୍ଜରିତ ହୋଇଥିଲା । ଆମ ଦେଶ ତଥା ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟରୂପ ଧାରଣକରିଛି । ଅନେକ ଉଚ୍ଚଶିକ୍ଷିତ ଯୁବକ, ଯୁବତୀ ପିଅନ, କନେଷ୍ଟବଳ, ହୋମଗାର୍ଡ, ସିକୁରିଟି ଗାର୍ଡ ପରି ପଦବୀ ଯେଉଁଥିରେ ଶିକ୍ଷାଗତ ଯୋଗ୍ୟତା ଦଶମ ଶ୍ରେଣୀ ରହିଥାଏ ସେହି ପଦବୀ ପାଇଁ ଲକ୍ଷ ଲକ୍ଷ ଆବେଦନ ଆସୁଛି ଏବଂ ଇଛା ନଥିଲେ ମଧ୍ୟ ଅନେକ ଉଚ୍ଚଶିକ୍ଷିତ ଯୁବକ, ଯୁବତୀ ସେହି କାର୍ଯ୍ୟ କରିବା ପାଇଁ ବାଧ୍ୟ ହେଉଛନ୍ତି ନିଜର ତଥା ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ତାଙ୍କ ପାଖରେ କୌଣସି ବିକଳ୍ପ ପନ୍ଥା ନାହିଁ । ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ଆମ ରାଜ୍ୟ ଓଡିଶା ଏବେବି ଅନେକ ବ୍ୟକ୍ତି ଦାରିଦ୍ର କଷାଘାତରେ କବଳିତ । ରାଜ୍ୟରେ ବେକାରୀ ହାର ଉତ୍କଟ ଥିବାବେଳେ ରାଜ୍ୟର ଆର୍ଥକ ସ୍ଥିତି ମଧ୍ୟ ନୈରାଶ୍ୟଜନକ ରହିଛି । ରାଜ୍ୟର ପ୍ରତ୍ୟେକ ବିଭାଗ ସଚିବାଳୟଠାରୁ ଆରମ୍ଭ କରି ଶୌଚାଳୟ ଏପରିକି ବିଭିନ୍ନ ସରକାରୀ ହସ୍ପିଟାଲରେ ମଧ୍ୟ ଆଉଟସୋସିଂ ସଂସ୍ଥା ମାଧ୍ୟମରେ ଅନେକ ବ୍ୟକ୍ତି ଅତି ନଗଣ୍ୟ ଦରମାରେ କାର୍ଯ୍ୟ କରୁଛନ୍ତି । ତାଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି ଜ୍ଝ ଏପରି ସ୍ଥିତିରେ ଓଡିଶାର ବିଧାୟକ, ନେତା, ମନ୍ତ୍ରୀ ମାନଙ୍କର ମାତ୍ରାଧିକ ଦରମା ୩ଗୁଣା ବୃଦ୍ଧି ଗରିବ ମଧ୍ୟବିତ୍ତଙ୍କ ପ୍ରତି ଉପହାସ କରିବା ସହିତ ସମାନ । ଏହି ଦରମା ବୃଦ୍ଧି କଦାପି ଗ୍ରହଣୀୟ ନୁହଁ ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ବିଡମ୍ବନାର ବିଷୟ । ଆମ ଦେଶର କ୍ଷମତା ଲୋଭି ରାଜନେତା ଆରୋପ ପ୍ରତ୍ୟାରୋପ କାଦୁଆ ଫିଙ୍ଗା ରାଜନୀତିରେ ବ୍ୟସ୍ତ।ଧର୍ଷଣ ଗଣଧର୍ଷଣ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ କମିବା ବଦଳରେ ବଡିବାରେ ଲାଗିଛି । ନୂତନ ଭାରତ ଶିକ୍ଷିତ ଲୋକେ ଏଥିପ୍ରତି ଉଦାସୀନ ନହୋଇ ସଚେତନ ହେଲେ ଆମ ଦେଶର ସ୍ୱପ୍ନ ପୂରଣ ହେବ ।” ୟତ୍ର ପୂଜ୍ୟତେ ନାରୀ ତତ୍ର ତିଷ୍ଠନ୍ତି ଦେବତା” । ପରିଶେଷରେ ଆମ ଦେଶର ସମସ୍ତ ରାଜନେତାମାନଙ୍କୁ ବିନମ୍ର ଅନୁରୋଧ ଯେ, ନିଜର ରାଜନୈତିକ ମହତ୍ତ୍ୱ କାଂକ୍ଷାରୁ ଉପରକୁ ଉଠି ମିଳିମିଶି ସମସ୍ତେ ଆମର ଦେଶର ବିକାଶ ଓ ପ୍ରଗତି ପାଇଁ ଯଥାସମ୍ଭବ ଚେଷ୍ଟାକରନ୍ତୁ ଏବଂ ଖାଦ୍ୟ, ଶିକ୍ଷା, ସ୍ୱାସ୍ଥ୍ୟରୁ ବଞ୍ଚିତ ହେଉଥିବା ଅସହାୟ ନୀରିହ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କର କଲ୍ୟାଣ ପାଇଁ ସବୁପ୍ରକାରର ଉଦ୍ୟମ କରନ୍ତୁ । ଯାହାଦ୍ଵାରା ଆମ ଦେଶ ବିକାଶ ପଥରେ ଅଗ୍ରସର ହେବ ଏବଂ ବିଶ୍ଵବାସୀଙ୍କ ଲାଗି ଶ୍ରେଷ୍ଠ ଉଦାହରଣ ସୃଷ୍ଟି କରିବ ନ ହେଲେ ଦେଶପ୍ରେମୀ ସହିଦ ଭଗତ ସିଂ ଭଳି ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ତ୍ୟାଗ ଓ ବଳିଦାନ ପ୍ରତି ଏହା ଅପମାନ ହେବ । ସହିଦ ଭଗତ ସିଂହଙ୍କ ସୁନାର ଭାରତର ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ସମସ୍ତ ଗରିବ, ସାଧାରଣ ମଧ୍ୟବିତ୍ତ ପରିବାରମାନଙ୍କୁ ନ୍ୟାୟ ମିଳିବ ଏବଂ ସେମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା, ଉଚ୍ଚକୋଟିର ଶିକ୍ଷା, ଉତ୍ତମ ପୃଷ୍ଟିକର ଖାଦ୍ୟ, କର୍ମନିଯୁକ୍ତିର ସୁଯୋଗ ସରକାରୀ ଏବଂ ବେସରକାରୀ ପକ୍ରିୟାରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ରସରକାର ମିଳିତ ଉଦ୍ୟମରେ କାର୍ଯ୍ୟ କରିବେ । ଏହା ସମସ୍ତଙ୍କ ମିଳିତ ସହଯୋଗରେ ସମ୍ଭବ ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ ।
ଆଶୁତୋଷ ନାୟକ