
- ଅଶୋଧିତ ସୂର୍ଯ୍ୟମୂଖୀ ତେଲ ଉପରେ ବିସିଡି ହେଲା ଶୂନ; ସୋୟାବିନ ଏବଂ ତାଳ ତେଳ ଉପରେ ୫%କୁ ଖସିଲା ଶୁଳ୍କ
- ଘରୋଇ ବିଶୋଧନକୁ ପ୍ରୋତ୍ସାହନ ଦେବା ଲାଗି ଅଶୋଧିତ ଏବଂ ରିଫାଇନ୍ ଖାଇବା ତେଲ ମଧ୍ୟରେ ଆମଦାନୀ ଶୁଳ୍କ ବ୍ୟବଧାନକୁ ୧୯.୨୫ ପ୍ରତିଶତ ମଧ୍ୟରେ ସ୍ଥିର ରଖାଯାଇଛି
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାର ଆମଦାନୀ ହେଉଥିବା ପ୍ରମୁଖ ଖାଇବା ତେଲ ଉପରେ ମୂଳ ସୀମା ଶୁଳ୍କ (ବିସିଡି) ହ୍ରାସ କରିଛନ୍ତି । ଘରୋଇ ଖାଇବା ତେଳ ଦର ନିୟନ୍ତ୍ରଣ କରିବା, ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେବା ଏବଂ ଅନ୍ତର୍ଜାତୀୟ ସ୍ତରରେ ଖାଇବା ତେଲ ଦରରେ ଦ୍ରୁତ ବୃଦ୍ଧି କାରଣରୁ ସୃଷ୍ଟି ହୋଇଥିବା ମୁଦ୍ରାସ୍ଫୀତି ଚାପକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଉଛି ।
ଅଶୋଧିତ ତେଲ ସୂର୍ଯ୍ୟମୁଖି ତେଲ ଉପରେ ମୂଳ ସୀମା ଶୁଳ୍କ (ବିସିଡି)କୁ ୧୦ ପ୍ରତିଶତରୁ କମାଇ ଶୂନ କରି ଦିଆଯାଇଛି । ଅନ୍ୟପଟେ ସୋୟାବିନ୍ ତେଲ ଏବଂ ଅଶୋଧିତ ପାମ୍ ତେଲ୍ ଉପରେ ବିସିଡିକୁ ୧୦ ପ୍ରତିଶତରୁ କମାଇ ୪% କରାଯାଇଛି। ଏଥିସହିତ ସରକାର ସମ୍ପୃକ୍ତ ରିଫାଇନ୍ ଖାଇବା ତେଲ ଉପରେ ଲାଗୁ ବିସିଡିକୁ ମଧ୍ୟ ହ୍ରାସ କରିଛନ୍ତି । ଅଶୋଧିତ ଏବଂ ବିଶୋଧନ ବା ରିଫାଇନ୍ ହୋଇଥିବା ଖାଇବା ତେଲ ମଧ୍ୟରେ ଆମଦାନୀ ଶୁଳ୍କ ବ୍ୟବଧାନ ୧୯.୨୫ ପ୍ରତିଶତ ମଧ୍ୟରେ ବଜାୟ ରଖାଯାଇଛି ।
ଅନ୍ତର୍ଜାତୀୟ ସ୍ତରରେ ଖାଇବା ତେଲ ଦର ବୃଦ୍ଧି, ଘରୋଇ ବଜାରରେ ଖର୍ଚ୍ଚ ଓ ଖୁଚୁରା ଦର ବୃଦ୍ଧିକୁ ଆଖି ଆଗରେ ରଖି ଆମଦାନୀ ଶୁଳ୍କକୁ ଯୁକ୍ତିସଂଗତ କରାଯାଇଛି । ଆମଦାନୀ ଶୁଳ୍କ ଭାରତକୁ ଆମଦାନୀ ହେଉଥିବା ଖାଇବା ତେଲ ଖର୍ଚ୍ଚରେ ଏକ ମହତ୍ୱପୂର୍ଣ୍ଣ ଉପାଦାନ ହୋଇଥିବାରୁ ଏହାର ପ୍ରଭାବ ଘରୋଇ ବଜାର ଦର ଉପରେ ପଡ଼ିଥାଏ ।
ଅଶୋଧିତ ତେଲ ଉପରେ ବିସିଡି ହ୍ରାସ ପାଇବା ଯୋଗୁ ଘରୋଇ ବଜାରରେ ଖର୍ଚ୍ଚ କମ ହେବ ଏବଂ ଘରୋଇ ଯୋଗାଣ ଶୃଙ୍ଖଳ ମାଧ୍ୟମରେ ଉପଭୋକ୍ତାଙ୍କ ପାଖରେ ଏହାର ଲାଭ ପହଞ୍ଚିବ । ଏହାଦ୍ୱାରା ଉପଭୋକ୍ତାଙ୍କୁ ଆଶ୍ୱସ୍ତି ମିଳିବ ଏବଂ ଖାଇବା ତେଲ ତଥା ସାମଗ୍ରିକ ମୁଦ୍ରାସ୍ଫୀତି ଚାପ ନିୟନ୍ତ୍ରଣ ହୋଇପାରିବ ।
ସରକାର ଘରୋଇ ବିଶୋଧନ କ୍ଷମତାକୁ ଉପଯୋଗ କରିବା ଏବଂ ରିଫାଇନ୍ ତେଲର ଅତ୍ୟଧିକ ଆମଦାନୀକୁ କମାଇବା ପାଇଁ ଅଶୋଧିତ ଏବଂ ବିଶୋଧିତ ଖାଇବା ତେଲ ମଧ୍ୟରେ ଶୁଳ୍କ ବ୍ୟବଧାନକୁ ୧୯% ମଧ୍ୟରେ ବଜାୟ ରଖିଛନ୍ତି । ଏହି ଉପାୟ ଦ୍ୱାରା ଘରୋଇ ବିଶୋଧନକାରୀଙ୍କ ପାଇଁ ଅଧିକ ସମାନ ସୁଯୋଗ ଉପଲବ୍ଧ ହେବ ।
ଆମଦାନୀ ଶୁଳ୍କ ହ୍ରାସ କାରଣରୁ ମିଳିବାକୁ ଥିବା ଲାଭ ସମ୍ପୂର୍ଣ୍ଣ ଭାବେ ଉପଭୋକ୍ତାଙ୍କ ପାଖରେ ପହଞ୍ଚାଇବା ଲାଗି ସରକାର ଖାଇବା ତେଲ ସଂଘ ଏବଂ ଉଦ୍ୟୋଗ ଅଂଶୀଦାରଙ୍କୁ ପରାମର୍ଶ ଦେଇଛନ୍ତି । ବିତରକ ମୂଲ୍ୟ (ପିଟିଡି) ଏବଂ ସର୍ବାଧିକ ଖୁଚୁରା ମୂଲ୍ୟ (ଏମଆରପି)ରେ ତତ୍କାଳ ସଂଶୋଧନ ଲାଗି ମଧ୍ୟ ସରକାର ଉଦ୍ୟୋଗ ଅଂଶୀଦାରଙ୍କୁ ଅନୁରୋଧ କରିଛନ୍ତି ।
ଅନ୍ତର୍ଜାତୀୟ ଖାଇବା ତେଲ ବଜାର ଏବଂ ଘରୋଇ ଦର ଉପରେ ସରକାର ନିରନ୍ତର ନଜର ରଖିଛନ୍ତି । ଉପଭୋକ୍ତାଙ୍କ ହିତ ରକ୍ଷା, ଚାଷୀ ଓ ଘରୋଇ ଖାଇବା ତେଲ ଉଦ୍ୟୋଗ ପାଇଁ ସନ୍ତୁଳିତ ନୀତିଗତ ପରିବେଶ ବଜାୟ ରଖିବା ସହିତ ସରକାର ଆବଶ୍ୟକତା ଅନୁସାରେ ଉଚିତ୍ ପଦକ୍ଷେପ ଗ୍ରହଣ କରିବେ ବୋଲି କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ସୂଚନା ଦେଇଛି ।