
ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ନୂତନ ସମ୍ମେଳନ କକ୍ଷରେ ତ୍ୟାଗ, ସମର୍ପଣ ଓ ସମାଜସେବାର ବାର୍ତ୍ତା ବହନ କରି ମହାସମାରୋହରେ ‘ଜାତୀୟ ସେବା ଯୋଜନା ଦିବସ’ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦିଗମ୍ବର ଚାନ୍ଦ ଏହି ସଭାରେ ସଭାପତିତ୍ୱ କରି ଛାତ୍ରଛାତ୍ରୀମାନଙ୍କୁ ସେବାଭାବର ପ୍ରକୃତ ଅର୍ଥ ବୁଝାଇଥିଲେ । ସେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, ‘ମୁଁ ନୁହେଁ, ତୁମେ’— ଏହି ମହାନ ଆଦର୍ଶ କେବଳ ଏକ ବାକ୍ୟ ନୁହେଁ, ବରଂ ଜୀବନ ଜିଇଁବାର ଏକ ପବିତ୍ର ଦର୍ଶନ । ଜଣେ ଛାତ୍ର ନିଜ ବ୍ୟକ୍ତିଗତ ସ୍ୱାର୍ଥରୁ ଊର୍ଦ୍ଧ୍ୱକୁ ଉଠି ଯେତେ ବେଳେ ନିଃସହାୟ ଓ ସମାଜର ମଙ୍ଗଳ ପାଇଁ ହାତ ବଢ଼ାଏ, ସେତେବେଳେ ହିଁ ତା’ର ଶିକ୍ଷା ସାର୍ଥକ ହୁଏ ବୋଲି ସେ ମତବ୍ୟକ୍ତ କରିଥିଲେ । ସମାରୋହରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡ. ସରୋଜ କୁମାର ନାଏକ ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଜର ଓଜସ୍ୱିନୀ ତଥା ହୃଦୟସ୍ପର୍ଶୀ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ, ମାନବ ସେବା ହିଁ ମାଧବ ସେବା । ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ଭାବରେ ସଂଯୋଜିକା ବୁନି ସାହୁ, କ୍ୟାପ୍ଟେନ ଜୟକୁମାର ଭୁଏ ଏବଂ ବିପିନ ପାଇକ ଉପସ୍ଥିତ ରହି ସ୍ୱେଚ୍ଛାସେବୀମାନଙ୍କୁ ସମାଜର ହିତ ସାଧନ ତଥା ଅନୁଶାସନ ବଜାୟ ରଖି ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିଥିଲେ । ସମଗ୍ର ସଭାକାର୍ଯ୍ୟକୁ ସଂଯୋଜକ ଭୁବନେଶ୍ୱର ବରିହା ଅତ୍ୟନ୍ତ ସୁଚାରୁ ରୂପେ ପରିଚାଳନା କରିଥିଲେ । ପରିଶେଷରେ ସଂଯୋଜିକା ସୁରେଶ୍ୱରୀ ପାଣ୍ଡେ ସମସ୍ତ ଅତିଥି, ସହଯୋଗୀ ତଥା ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ପ୍ରାଧ୍ୟାପକ, ପ୍ରାଧ୍ୟାପିକା ଅଣ-ଶିକ୍ଷକ କର୍ମଚାରୀ ଏବଂ ଶତାଧିକ ଉତ୍ସାହୀ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।