jayashree

ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ଯୁବକ ଗିରଫ, ବନ୍ଧୁକ, ୩ ଗୁଳି ଜବତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର-ବୈଦ୍ୟନାଥ ବ୍ରିଜ ଛକ ଠାରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଅଭିଯୋଗରେ ସୋନପୁର ପୁଲିସ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ସୋନପୁର ଥାନା ଅନ୍ତର୍ଗତ ହରଡ଼ଖୋଲ ଗାଁର ସତ୍ୟରାମ ଚାଉଳିଆ (୨୩) । ଏହି ଘଟଣାରେ ଗୋଟିଏ ବନ୍ଧୁକ, ୩ ଗୋଟି ଅଫୁଟା ଗୁଳି, ଗୋଟିଏ ମେଗାଜିନ, ୧୦ହଜାର ଟଙ୍କା ସହ ଗୋଟିଏ ଆଇଫୋନ ୧୭ ମୋବାଇଲ ଜବତ କରାଯାଇଛି । ଅନ୍ୟ୨ ଜଣ ଯୁବକ ଫେରାର ମାରିଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ନାରାୟଣ ନାୟକ ସୂଚନା ଦେଇଥିବାବେଳେ ସୋନପୁର ଆଇଆଇସି ଯାଦବ ବାଗ ମଧ୍ୟ ଉପସ୍ଥିତ ଥିଲେ । ଏସପି ଶ୍ରୀ ନାୟକଙ୍କ ସୂଚନା ଅନୁଯାୟୀ, ଗତକାଲି ସୋନପୁର ପୁଲିସ ଆଇଆଇସି ଶ୍ରୀ ବାଗଙ୍କ ନିର୍ଦ୍ଦେଶ କ୍ରମେ ବୈଦ୍ୟନାଥ ବ୍ରିଜ ଛକରେ ପେଟ୍ରୋଲିଂ କରୁଥିବା ବେଳେ ସେଠାରେ କେତେକ ବ୍ୟକ୍ତି ବେଆଇନ ଅସ୍ତ୍ରଶସ୍ତ୍ର ବିକ୍ରି ଓ କାରବାର କରୁଥିବା ସୂଚନା ପାଇ ଚଢ଼ଉ କରିଥିଲା । ପୁଲିସ ଘଟଣାସ୍ଥଳରୁ ସତ୍ୟରାମ ଚାଉଲିଆକୁ କାବୁ କରିବାରେ ସଫଳ ହୋଇଥିବା ବେଳେ ୨ ଜଣ ଯୁବକ ସେଠାରୁ ଦୌଡ଼ି ଫେରାର ମାରିଥିଲେ । ପଚରାଉଚୁରା ସମୟରେ ସେ ଅବୈଧ ଅସ୍ତ୍ରଶସ୍ତ୍ର ଓ ଗୁଳିର ବିକ୍ରି କାରବାରରେ ଲିପ୍ତଥିବା ସ୍ୱୀକାର କରିଥିଲା ବୋଲି ପୁଲିସ କହିଛି । ଏଥିସହ ଉକ୍ତ ଅସ୍ତ୍ରଶସ୍ତ୍ରକୁ ଡକାୟତି ଓ ରାହାଜାନିରେ ଲୋକଙ୍କୁ ଭୟଭୀତ କରିବା ନିମନ୍ତେ ବ୍ୟବହାର କରାଯାଉଥିବା ମଧ୍ୟ ପ୍ରକାଶ କରିଥିବା କଥା ଏସପି ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଯୁବକଙ୍କ ନାମରେ ପୂର୍ବରୁ ମଧ୍ୟ ଡକାୟତି ମାମଲା ଥିବା ଏସପି ସୂଚନା ଦେଇଥିଲେ । ଏନେଇ ପୁଲିସ ଏକ ଆର୍ମସ ଆକ୍ଟରେ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ଏସପି କହିଛନ୍ତି ।

Leave A Reply

Your email address will not be published.