
- ନେତୃତ୍ୱ, ଅନୁଭୂତିମୂଳକ ଶିକ୍ଷା, ସ୍ୱେଚ୍ଛାସେବା ଓ ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିର ବଢୁଥିବା ଅଂଶଗ୍ରହଣର ପ୍ରତିଫଳନ
ନୂଆଦିଲ୍ଲୀ, (ପିଆଇବି) : ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟର ଯୁବ ବ୍ୟାପାର ବିଭାଗର ଜାତୀୟ ଯୁବ ସମ୍ପର୍କ ପ୍ଲାଟଫର୍ମ ମେରା ଯୁବା ଭାରତ (ମାଇଁ ଭାରତ) (MY Bharat.gov.in/) ୩ କୋଟିରୁ ଅଧିକ ପଞ୍ଜିକୃତ ଯୁବପିଢ଼ିଙ୍କ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏହି ସଫଳତା ଭାରତର ସର୍ବବୃହତ ଯୁବ ସମ୍ପର୍କ ଇକୋସିଷ୍ଟମର ଏକ ପ୍ରମୁଖ ବିସ୍ତାରକୁ ଚିହ୍ନିତ କରେ। ଏହା ଯୁବପିଢ଼ିଙ୍କୁ ଅଭିଜ୍ଞତାମୂଳକ ଶିକ୍ଷା, ସ୍ୱେଚ୍ଛାକୃତସେବା, ନେତୃତ୍ୱ, ନାଗରିକ ସମ୍ପର୍କ ଏବଂ ଯୁବ-ନେତୃତ୍ୱାଧୀନ ପଦକ୍ଷେପରେ ଅଂଶଗ୍ରହଣ କରିବାର ସୁଯୋଗ ପ୍ରଦାନ କରେ।
୩୧ ଅକ୍ଟୋବର, ୨୦୨୩ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଇଁ ଭାରତ ପ୍ଲାଟଫର୍ମ ଆରମ୍ଭ କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ଏକ ପ୍ରଯୁକ୍ତିବିଦ୍ୟା ଆଧାରିତ ପ୍ଲାଟଫର୍ମ ସୃଷ୍ଟି କରିବା, ଯାହା ମାଧ୍ୟମରେ ଯୁବ ଭାରତୀୟମାନେ ଦେଶର ବିକାଶ ଯାତ୍ରାରେ ଅଂଶଗ୍ରହଣ କରିପାରିବେ। ଏହାର ଶୁଭାରମ୍ଭ ସମୟରେ, ପ୍ରଧାନମନ୍ତ୍ରୀ ଦେଶର ଯୁବପିଢ଼ିଙ୍କୁ ଏକ ସାଧାରଣ ପ୍ଲାଟଫର୍ମରେ ଏକାଠି କରିବା ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଅଧିକ ଅଂଶଗ୍ରହଣକୁ ସକ୍ଷମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ପ୍ଲାଟଫର୍ମକୁ ଏକ ଅତ୍ୟାବଶ୍ୟକୀୟ ସଂସ୍ଥାଗତ ବ୍ୟବସ୍ଥା ଭାବରେ କଳ୍ପନା କରାଯାଇଥିଲା, ଯାହା ଦ୍ୱାରା ଭାରତର ଯୁବପିଢ଼ିଙ୍କ ଶକ୍ତି, ଆକାଂକ୍ଷା ଏବଂ ସମ୍ଭାବନାକୁ ବିକଶିତ ଭାରତ@ ୨୦୪୭ ପ୍ରତି ଏକ ପ୍ରକୃତ ଅବଦାନରେ ପରିଣତ କରାଯାଇପାରିବ।
ଆରମ୍ଭ ହେବା ପରଠାରୁ ମାଇଁ ଭାରତର ଯାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପ୍ଲାଟଫର୍ମଟି ଅକ୍ଟୋବର ୨୦୨୫ ରେ ୨ କୋଟିରୁ ଅଧିକ ପଞ୍ଜୀକରଣ ଅତିକ୍ରମ କରିଥିଲା । ପରବର୍ତ୍ତୀ ସମୟରେ ଅଗଷ୍ଟ ୨୦୨୬ ସୁଦ୍ଧା ଏହାର ପହଞ୍ଚ ୨.୪୬ କୋଟିରୁ ଅଧିକ ପଞ୍ଜୀକରଣକୁ ବିସ୍ତାର ଲାଭ କରିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୩ କୋଟିରୁ ଅଧିକ ସଂଖ୍ୟା ଅତିକ୍ରମ କରିବା ପ୍ଲାଟଫର୍ମରେ ଯୁବ ଅଂଶଗ୍ରହଣରେ ନିରନ୍ତର ବୃଦ୍ଧିକୁ ଦର୍ଶାଉଛି।
ମାଇଁ ଭାରତ ଆଜି ଏକ ସାଧାରଣ ଡିଜିଟାଲ୍ ପ୍ରବେଶପଥ ଭାବରେ କାର୍ଯ୍ୟ କରୁଛି ଯାହା ମାଧ୍ୟମରେ ଯୁବକମାନେ ଅଭିଜ୍ଞତାମୂଳକ ଶିକ୍ଷା କାର୍ଯ୍ୟକ୍ରମ, ସ୍ୱେଚ୍ଛାକୃତ ସେବାର ସୁଯୋଗ, କୁଇଜ୍, ନେତୃତ୍ୱ ପଦକ୍ଷେପ, ଯୁବ ସଂଳାପ ଏବଂ ସମୁଦାୟ ସହିତ ସମ୍ପର୍କ କାର୍ଯ୍ୟକଳାପରେ ପ୍ରବେଶ କରିପାରିବେ ଏବଂ ଅଂଶଗ୍ରହଣ କରିପାରିବେ। ଅଗଷ୍ଟ ୨୦୨୬ ସୁଦ୍ଧା, ୧.୨୨ ଲକ୍ଷରୁ ଅଧିକ ଯୁବକ ପ୍ରାୟ ୨୫,୦୦୦ ଅଭିଜ୍ଞତାମୂଳକ ଶିକ୍ଷା କାର୍ଯ୍ୟକ୍ରମରେ ନାମ ପଞ୍ଜୀକୃତ କରିଛନ୍ତି। ଯାହା ଯୁବପିଢ଼ିଙ୍କୁ ପାରମ୍ପରିକ ଶ୍ରେଣୀଗୃହ ବାହାରେ ଅଂଶଗ୍ରହଣ ଏବଂ ବ୍ୟବହାରିକ ଅଭିଜ୍ଞତା ହାସଲ କରିବାର ସୁଯୋଗ ପ୍ରଦାନ କରୁଛି।
ଏହି ପ୍ଲାଟଫର୍ମଟି ଏହାର ପ୍ରଯୁକ୍ତିବିଦ୍ୟାକୁ ନିରନ୍ତର ଉନ୍ନତ କରିଚାଲିଛି। ଯୁବପିଢ଼ିଙ୍କୁ ବୃତ୍ତିଗତ ପ୍ରୋଫାଇଲ୍ ସୃଷ୍ଟି କରିବାରେ ସାହାଯ୍ୟ କରିବା ପାଇଁ ଏକ ଏଆଇ- ସକ୍ଷମ ସିଭି ବିଲ୍ଡର୍ ଆରମ୍ଭ କରାଯାଇଛି। ଡିଜିଟାଲ୍ ସେବା ଏବଂ ତୃଣମୂଳ ସ୍ତରରେ ପହଞ୍ଚିବା ଭଳି କାର୍ଯ୍ୟ ମାଧ୍ୟମରେ ପ୍ଲାଟଫର୍ମକୁ ସୁଦୃଢ଼ କରାଯାଉଛି।
ମାଇଁ ଭାରତ ଦ୍ୱାରା ପରିଚାଳିତ ଏକ ପ୍ରମୁଖ ପ୍ରୟାସ ହେଉଛି ବିକଶିତ ଭାରତ ଯୁବ ନେତୃତ୍ଵ ସଂଳାପ (ଭିବିୱାଇଏଲଡି) ୨୦୨୭। ଏହା ଯୁବ ଭାରତୀୟମାନଙ୍କୁ ବିକଶିତ ଭାରତ @୨୦୪୭ ର ଦୃଷ୍ଟିକୋଣ ପ୍ରତି ସେମାନଙ୍କର ଚିନ୍ତାଧାରା, ସୃଜନଶୀଳତା, ନେତୃତ୍ୱ ଏବଂ ନବସୃଜନ ପ୍ରଦର୍ଶନ କରିବା ପାଇଁ ଅନେକ ସୁଯୋଗ ପ୍ରଦାନ କରୁଛି। ଏହି ପ୍ରୟାସ ଅଗଷ୍ଟ ୧୭, ୨୦୨୬ ରେ ବିକଶିତ ଭାରତ କୁଇଜ୍ ସହିତ ଆରମ୍ଭ ହୋଇଥିଲା , ଯାହା ସେପ୍ଟେମ୍ବର ୩୦, ୨୦୨୬ ପର୍ଯ୍ୟନ୍ତ ମାଇଁ ଭାରତ ପ୍ଲାଟଫର୍ମରେ ଖୋଲା ରହିବ। ପ୍ରମୁଖ ବିକଶିତ ଭାରତ ଆହ୍ଵାନଗୁଡିକ ଅଧୀନରେ, ଅଂଶଗ୍ରହଣକାରୀମାନେ ପ୍ରବନ୍ଧ ଚ୍ୟାଲେଞ୍ଜ, ଜିଲ୍ଲା ଚାମ୍ପିଅନସିପ୍ ଏବଂ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସ୍ତରୀୟ ପର୍ଯ୍ୟାୟ ଦେଇ ଅଗ୍ରଗତି କରିବେ, ଯାହା ଜାନୁଆରୀ ୧୦ ରୁ ୧୨, ୨୦୨୭ ରେ ନୂଆଦିଲ୍ଲୀରେ ଜାତୀୟ ବିକଶିତ ଭାରତ ଯୁବ ନେତୃତ୍ଵ ସଂଳାପରେ ଶେଷ ହେବ। ଏହା ସହିତ, ଭିବିୱାଇଏଲଡି ୨୦୨୭ ରେ ପାଞ୍ଚଟି ଅତିରିକ୍ତ ଟ୍ରାକ୍ ଅଛି – ସାଂସ୍କୃତିକ ଟ୍ରାକ୍, ଡିଜାଇନ୍ ଫର୍ ଇଣ୍ଡିଆ, ହ୍ୟାକ୍ ଫର୍ ସୋସିଆଲ କଜ୍, ଯୁବ ଉଦ୍ୟୋଗୀ ଚ୍ୟାଲେଞ୍ଜ ଏବଂ ଯୁବ ସଂସଦ। ଏହା ଯୁବପିଢ଼ିଙ୍କୁ ସେମାନଙ୍କର ସାଂସ୍କୃତିକ ପ୍ରତିଭା, ସୃଜନଶୀଳ ଏବଂ ଡିଜାଇନ୍ ଚିନ୍ତାଧାରା, ପ୍ରଯୁକ୍ତିବିଦ୍ୟା-ନେତୃତ୍ୱାଧୀନ ସମାଧାନ, ଉଦ୍ୟୋଗୀ ଚିନ୍ତାଧାରା ଏବଂ ସଂସଦୀୟ ପ୍ରକ୍ରିୟାରେ ନେତୃତ୍ୱ ପ୍ରଦର୍ଶନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରେ। ଏହି ଟ୍ରାକଗୁଡ଼ିକରେ ମନୋନୀତ ଯୁବ ଅଂଶଗ୍ରହଣକାରୀମାନେ ନୀତି ନିର୍ଦ୍ଧାରକଙ୍କ ସହ ଜଡିତ ହେବାର ଏବଂ ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ସେମାନଙ୍କର ଚିନ୍ତାଧାରା ଉପସ୍ଥାପନ କରିବାର ସୁଯୋଗ ପାଇବେ।
ବର୍ତ୍ତମାନର ମାଇଁ ଭାରତ ଇକୋସିଷ୍ଟମରେ ଅନେକ ଯୁବ-କେନ୍ଦ୍ରିକ ପଦକ୍ଷେପ ମଧ୍ୟ ରହିଛି। ଏଥିରେ ବିକଶିତ ଭାରତ ପାଇଁ ନଶା ମୁକ୍ତ ଯୁବା, ବିକଶିତ ଭାଇବ୍ରାଣ୍ଟ ଗ୍ରାମ କାର୍ଯ୍ୟକ୍ରମ, ବିକଶିତ ଭାରତ ଯୁବ ସଂସଦ, ବିକଶିତ ଭାରତ ପଦଯାତ୍ରା, ବିକଶିତ ଭାରତ ଯୁବ ସଂଯୋଗ ଏବଂ ଖେଲୋ ଇଣ୍ଡିଆ ଡାଏଲଗ ସହିତ ଅଭିଜ୍ଞତାମୂଳକ ଶିକ୍ଷା ଏବଂ ସ୍ୱେଚ୍ଛାକୃତସେବା ସୁଯୋଗ ଅନ୍ତର୍ଭୁକ୍ତ।
ବିକଶିତ ଭାରତ ପାଇଁ ନଶା ମୁକ୍ତ ଯୁବା ଅଭିଯାନ ମାଧ୍ୟମରେ, ମାଇଁ ଭାରତ ଏକ ସୁସ୍ଥ ଏବଂ ନିଶାମୁକ୍ତ ଭାରତ ପାଇଁ ଯୁବପିଢ଼ିଙ୍କୁ ସଂଗଠିତ କରିବା ଲାଗି ଦେଶବ୍ୟାପୀ ପ୍ରୟାସରେ ମଧ୍ୟ ଅଂଶଗ୍ରହଣ କରୁଛି। ୧୦୦ ସପ୍ତାହ ଧରି ନଶା ମୁକ୍ତ ଯୁବା ଅଭିଯାନ ସେପ୍ଟେମ୍ବର ୨୦୨୬ ରେ ରାଷ୍ଟ୍ରୀୟ ସଙ୍କଳ୍ପ ସମାରୋହ ସହିତ ଆରମ୍ଭ ହୋଇଥିଲା। ଏଠାରେ ସାରା ଦେଶର ଯୁବପିଢ଼ି ସଙ୍କଳ୍ପ କରିବା, ଦସ୍ତଖତ ଅଭିଯାନ, ସୃଜନଶୀଳ କାର୍ଯ୍ୟକଳାପ ଏବଂ ଆଲୋଚନା ମାଧ୍ୟମରେ ଅଂଶଗ୍ରହଣ କରିଥିଲେ।
ତେଣୁ, ୩ କୋଟିରୁ ଅଧିକ ମାଇଲଖୁଣ୍ଟ କେବଳ ପଞ୍ଜୀକରଣ ବୃଦ୍ଧି ନୁହେଁ। ଏହା ଏକ ଜାତୀୟ ପ୍ଲାଟଫର୍ମର ବର୍ଦ୍ଧିତ ପରିମାଣକୁ ପ୍ରତିଫଳିତ କରେ। ଏହା ମାଧ୍ୟମରେ ଯୁବ ଭାରତୀୟମାନେ ଅଭିଜ୍ଞତାରୁ ଶିଖିପାରିବେ, ସମୁଦାୟିକ ପଦକ୍ଷେପରେ ଅଂଶଗ୍ରହଣ କରିପାରିବେ, ନେତୃତ୍ୱ ଦକ୍ଷତା ବିକାଶ କରିପାରିବେ ଏବଂ ଦେଶର ବିକାଶ ଯାତ୍ରାରେ ସେମାନଙ୍କର ଚିନ୍ତାଧାରା ଯୋଗଦାନ କରିପାରିବେ।
ମାଇଁ ଭାରତ ନିଜର ଡିଜିଟାଲ୍ ଏବଂ ତୃଣମୂଳ ସ୍ତରୀୟ ଇକୋସିଷ୍ଟମର ସମ୍ପ୍ରସାରଣ ଜାରି ରଖିଥିବା ବେଳେ, ଏହି ପ୍ଲାଟଫର୍ମ ଯୁବ ଶକ୍ତି, ଜନ ଅଂଶଗ୍ରହଣ ଏବଂ ଯୁବ-ନେତୃତ୍ୱାଧୀନ ରାଷ୍ଟ୍ର ନିର୍ମାଣକୁ ସୁଦୃଢ଼ କରିବା ଉପରେ ଧ୍ୟାନ କେନ୍ଦ୍ରିତ ରଖିଛି। ଏହା ବିକଶିତ ଭାରତ @୨୦୪୭ ଦିଗରେ ଅର୍ଥପୂର୍ଣ୍ଣ ଅବଦାନ ରଖିବା ପାଇଁ ଭାରତର ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବାର ଲକ୍ଷ୍ୟ ସହିତ ସମାନୁରୂପ ଅଟେ।