
- ୨ ଯୁବକ ଗଞ୍ଜେଇ ଚୋରା ଚାଲାଣକାରୀ ସନ୍ଦେହ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ମହାନଦୀ ଘାଟରୁ ମଙ୍ଗଳବାର ଦିନ ଅପରାହ୍ନରେ ଦୁଇ ଅଜଣା ଯୁବକଙ୍କ ମୃତଦେହ ପୁଲିସ୍ ଉଦ୍ଧାର କରିଛି । ସୂଚନା ଅନୁସାରେ ଅପରାହ୍ନ ପ୍ରାୟ ୩ ଟା ବେଳେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ମହାନଦୀରୁ ଉପର ମଣ୍ଡରୁ ଦୁଇ ଜଣଙ୍କ ଶବ ଉଦ୍ଧାର କରିଛି ବୀରମହାରାଜପୁର ଅଗ୍ନିଶମ ବାହିନୀ । ମିଳିଥିବା ସୂଚନା ଅନୁସାରେ ମହାନଦୀର ଉପରମୁଣ୍ଡରୁ ଦୁଇଟି ଶବ ଭାସି ଆସୁଥିବା ସରକାରୀ ସୂତ୍ରରୁ ଖବର ପାଇ ବୀରମହାରାଜପୁର ଅଗ୍ନିଶମ ବାହିନୀ ସୁବଳୟା ମହାନଦୀ ଫେରିଘାଟରେ ପହଞ୍ଚିଥିଲା । ଅଗ୍ନିଶମ ବାହିନୀର କର୍ମଚାରୀମାନେ ନଦୀକୂଳରେ ଥିବା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା ସାହାଯ୍ୟରେ ପ୍ରଥମେ ଗୋଟିଏ ଭାସମାନ ମୃତ ଦେହକୁ ଉଦ୍ଧାର କରିଥିଲେ ପରେ ଆଉ ଗୋଟିଏ ଭାସମାନ ମୃତ ଦେହକୁ ଉଦ୍ଧାର କରି କୂଳକୁ ଆଣିଥିଲେ । ଖବର ପାଇ ବୀରମହାରାଜପୁର ଉପଖଣ୍ଡ ପୁଲିସ ଅଧିକାରୀ ହେମନ୍ତ ରାଓ, ସୁବଳୟା ପୁଲିସ ଏଏସ୍ଆଇ ସଞ୍ଜୀବ ବସ୍ତିଆ, ସୁରଞ୍ଚି ସେଠୀ ପ୍ରମୁଖ ଘଟଣାସ୍ଥଳକୁ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଗ୍ନିଶମ ଅଧିକାରୀ ସୁଶାନ୍ତ କୁମାର ରାଉଳ ସରକାରୀ ବିଧି ବ୍ୟବସ୍ଥାରେ ଉଦ୍ଧାର ହୋଇଥିବା ଉଭୟ ମୃତ ଦେହକୁ ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ ଉଭୟ ମୃତ ଦେହକୁ ଜବତ କରିବା ସହ ସୁବଳୟା ଥାନା ୟୁଡ଼ି କେଶ ନମ୍ବର ୬/୨୦୨୬ ରେ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ସନ୍ଧ୍ୟାରେ ଉଭୟ ମୃତ ଦେହକୁ ପଠେଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଅଜଣା ଯୁବକଙ୍କ ମୃତଦେହ ଗଞ୍ଜେଇ ଚୋରା ଚାଲାଣକାରୀ ଯୁବକଙ୍କ ହୋଇଥାଇପାରେ । ଗତ ୨୧ ତାରିଖ ପୂର୍ବାହ୍ନରେ ସୁବଳୟା ଓ ବୀରମହାରାଜପୁର ପୋଲିସ ଓ ଅବକାରୀ କର୍ମଚାରୀ ମାନେ ଗଞ୍ଜେଇ ଗାଡ଼ିକୁ ଗୋଡ଼େଇଥିଲେ । ସୁବଳୟା ଥାନା କେଉଟିପାଲି ନିକଟରୁ ଗଞ୍ଜେଇ ଗାଡ଼ି ସହ ୨ ଜଣଙ୍କୁ ଗିରଫ କରାଯାଇଥିଲାବେଳେ ସେହି ଘଟଣାରେ କେତେଜଣ ଯୁବକ ଗାଡ଼ି ଛାଡି ଫେରାର ମାରିଥିଲେ । ଏହି ଦୁଇ ମୃତଦେହ ସେହି ଗଞ୍ଜେଇ ବେପାରରେ ସମ୍ପୃକ୍ତ ଅଭିଯୁକ୍ତଙ୍କର ବୋଲି ଚର୍ଚ୍ଚା ହେଉଛି ।