
ଦେଓଗାଁ, (ମନୀଷ କୁମାର ସାହୁ) : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ସବୁଆଡ଼େ ଉତ୍ସବମୁଖର ହୋଇ ଉଠୁଥିବା ବେଳେ ଦେଓଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ପ୍ରତାରିତ କରି ସୁନା କାନଫୁଲ ଚୋରି କରିବା ଏବଂ ତାହାକୁ ନେଇ ଏକ ଗହଣା ଦୋକାନରେ ବିକ୍ରି କରିବା ଘଟଣା ଦେଓଗାଁ ଅଞ୍ଚଳରେ ତୀବ୍ର ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଯେ, ଦେଓଗାଁ ଥାନା ଅନ୍ତର୍ଗତ ଉଡ଼ାର ଗାଁର ଜଣେ ଦିବ୍ୟାଙ୍ଗ ମହିଳା (ବୋହୂ) ନୂଆଁଖାଇ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ ଜଣେ ମହିଳା ତାଙ୍କ ନିକଟକୁ ଆସି ଶାଢ଼ି ମାଗିବା ବାହାନାରେ ସୁନା କାନଫୁଲ ଚୋରି କରି ନେଇଥିଲେ । ଏହାପରେ ଅଭିଯୁକ୍ତ ମହିଳା ଜଣକ ଚୋରି ସୁନା କାନଫୁଲକୁ ନେଇ ଜରାସିଂହା ଗାଁର ଏକ ଗହଣା ଦୋକାନରେ ବିକ୍ରି କରି ଦେଇଥିଲେ । ତେବେ ମହିଳା ଜଣକ ଦୋକାନ ଦେଖାଇ ଦେଉଥିଲେ ମଧ୍ୟ ଦୋକାନୀଙ୍କ ନାମ ପ୍ରକାଶ କରୁନଥିବାରୁ ଏହାକୁ ନେଇ ଅଞ୍ଚଳରେ ସନ୍ଦେହ ଆହୁରି ଦୃଢ଼ ହୋଇଛି । ପ୍ରତିଷ୍ଠିତ ସୁନା ବ୍ୟବସାୟୀ ଜଣକ କୌଣସି ବୈଧ ରସିଦ କିମ୍ବା ପ୍ରମାଣପତ୍ର ବିନା ଏହି ଚୋରି ସୁନା କିଣିଥିବା ମଧ୍ୟ ଜଣାପଡିଛି । ସୁନା କାନଫୁଲ ହରାଇଥିବା ମହିଳାଙ୍କ ପରିବାର ଲୋକେ ଏ ନେଇ ଦେଓଗାଁ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଦେଓଗାଁ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୁନା ଚୋରି କରିଥିବା ମହିଳା ଏବଂ ଚୋରି ସୁନା କିଣିଥିବା ବ୍ୟବସାୟୀଙ୍କୁ ଥାନାକୁ ଡାକି ପଚରାଉଚରା ଚଲାଇଥିଲା। ଏଭଳି ସ୍ଥିତିରେ ନିଜକୁ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ସମ୍ପୃକ୍ତ ସୁନା ବ୍ୟବସାୟୀ ଜଣକ ଥାନା ପରିସରରେ ମାମଲାକୁ ରଫାଦଫା କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଥିବା ଜଣାପଡ଼ିଛି । ପୁଲିସର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ଏବେ ସ୍ଥାନୀୟ ଲୋକଙ୍କ ନଜର ରହିଛି । ସୂଚନା ଯୋଗ୍ୟ ଯେ, ଏହି ଚୋରି ସୁନାକୁ ବିନା ରସିଦରେ କିଣିଥିବା ଦୋକାନୀ ଜଣକ ପୂର୍ବରୁ ଏଭଳି ଭାବେ କେତେ ଯେ, ଚୋରି ସୁନାକୁ କମ୍ ଦରରେ କିଣି ନିଜର ବେପାର ଚଲାଉଥିଲେ, ତାହାକୁ ନେଇ ଏବେ ସାରା ଅଞ୍ଚଳରେ ଜୋର୍ ଚର୍ଚ୍ଚା ହେବାରେ ଲାଗିଛି । ଏହାକୁ ନେଇ ସୁନା ବେପାରୀଙ୍କ ଦୋକାନରେ ଚଢ଼ାଉ କରି ଅଧିକ ତଦନ୍ତ କରାଯିବାକୁ ଅଞ୍ଚଳର ଗ୍ରାହକମାନଙ୍କ ପକ୍ଷରୁ ଦାବି ହେଉଛି । ବ୍ୟବସାୟୀଙ୍କ ଏଭଳି ଚୋରି ସାମଗ୍ରୀ କାରବାରକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ନାନା ପ୍ରଶ୍ନ ଓ ଅସନ୍ତୋଷ ସୃଷ୍ଟି ହୋଇଛି ।