jayashree

ନବପ୍ରଭାତ ବିଦ୍ୟାୟତନରେ ନିଆରା ‘ନୂଆଁଖାଇ ବଜାର’

  • ପାରମ୍ପରିକ ଖାଦ୍ୟ ସହ ଛାତ୍ରଛାତ୍ରୀଙ୍କୁ ମିଳିଲା ବ୍ୟବହାରିକ ଶିକ୍ଷା

ବରଗଡ଼, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ବରଂ ମାଟି, ଚାଷୀ, ନୂଆଁ ଧାନ ଓ ଓଡ଼ିଆ ଜୀବନଧାରା ସହ ଜଡ଼ିତ ଏକ ସମୃଦ୍ଧ ପରମ୍ପରା । ଏହି ପରମ୍ପରାକୁ ନୂଆଁ ପିଢ଼ି ସହ ପରିଚିତ କରାଇବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ଓ ବ୍ୟବହାରିକ ଜ୍ଞାନର ବିକାଶ ଉଦ୍ଦେଶ୍ୟରେ ନବପ୍ରଭାତ ବିଦ୍ୟାୟତନ ପରିସରରେ ନିଆରା ଢଙ୍ଗରେ ‘ନୂଆଁଖାଇ ବଜାର’ ଆୟୋଜିତ ହୋଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିସର ଏକ ଛୋଟ ବଜାରର ରୂପ ନେଇଥିଲା । ବିଭିନ୍ନ ଷ୍ଟଲ୍‌ରେ ଦେଶୀ ଖାଦ୍ୟ, ପାରମ୍ପରିକ ପିଠାପଣା, ଘରୋଇ ପ୍ରସ୍ତୁତ ଖାଦ୍ୟ, ବିଭିନ୍ନ ପ୍ରକାର ଶସ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦର୍ଶନୀ ସହ ବିକ୍ରୟ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଉତ୍ସାହର ସହ ନିଜ ନିଜ ଷ୍ଟଲ୍‌ର ଦାୟିତ୍ୱ ନେଇଥିଲେ । ବିଶେଷ କରି ନୂଆଁଖାଇ ପର୍ବରେ ବ୍ୟବହୃତ ଦେଶୀ ଖାଦ୍ୟ ଓ ପାରମ୍ପରିକ ଶସ୍ୟକୁ ଗୁରୁତ୍ୱ ଦିଆଯାଇଥିବାରୁ ଏଠାରେ ଓଡ଼ିଆ ଖାଦ୍ୟ ସଂସ୍କୃତିର ନିଆରା ଝଲକ ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀମାନେ ନିଜ ଅଞ୍ଚଳର ପାରମ୍ପରିକ ଖାଦ୍ୟ ଓ ଶସ୍ୟ ସମ୍ପର୍କରେ ଜାଣିବା ସହ ଏହାର ମହତ୍ତ୍ୱ ଅନୁଭବ କରିଥିଲେ । ‘ନୂଆଁଖାଇ ବଜାର’ ମାଧ୍ୟମରେ ପାଠ୍ୟପୁସ୍ତକ ବାହାରେ ଛାତ୍ରଛାତ୍ରୀଙ୍କୁ ବାସ୍ତବ ଜୀବନର ଶିକ୍ଷା ଦିଆଯାଇଥିଲା । ହିସାବ-ନିକାଶ, ଟଙ୍କାର ମୂଲ୍ୟ, କ୍ରୟ-ବିକ୍ରୟ, ଗ୍ରାହକଙ୍କ ସହ ବ୍ୟବହାର ଓ ଦାୟିତ୍ୱବୋଧ ଭଳି ବିଷୟରେ ସେମାନେ ପ୍ରାୟୋଗିକ ଅନୁଭୂତି ହାସଲ କରିଥିଲେ । ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଏହି ନିଆରା ପ୍ରୟାସକୁ ପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀଙ୍କ ଉତ୍ସାହ, ସୃଜନଶୀଳତା ଓ ଦାୟିତ୍ୱବୋଧ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା । ନୂଆଁଖାଇ ବଜାର ଭଳି ଅଭିନବ କାର୍ଯ୍ୟକ୍ରମ ମାଧ୍ୟମରେ ନୂଆଁ ପିଢ଼ି ନିଜ ମାଟି, ଚାଷୀ ଓ ପାରମ୍ପରିକ ଖାଦ୍ୟ ସଂସ୍କୃତି ସହ ଯୋଡ଼ି ହେବା ସହ ଆତ୍ମନିର୍ଭରତା ଓ ଉଦ୍ୟୋଗୀ ମନୋଭାବ ଗଢ଼ି ତୋଳିପାରିବ । ନବପ୍ରଭାତ ବିଦ୍ୟାୟତନର ଏହି ପ୍ରୟାସ ନୂଆଁଖାଇ ପରମ୍ପରାକୁ ଶିକ୍ଷା ସହ ଯୋଡ଼ିବାର ଏକ ସୁନ୍ଦର ଉଦାହରଣ ପାଲଟିଛି ।

Leave A Reply

Your email address will not be published.