
ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଲାଠିକଟା ବ୍ଲକ ଅନ୍ତର୍ଗତ ଯଲଦା ପଂଚାୟତର ସି ବ୍ଲକ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀଙ୍କ ପ୍ରତକ୍ଷ ତତ୍ୱାବଧାନରେ ଏକ ଅଭିଯୋଗ ଶୁଣାଣି ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ସ୍ୱୟଂ ବିଧାୟକ ଦୁର୍ଗା ଚରଣ ତନ୍ତୀ ଉପସ୍ଥିତ ରହି ଲୋକଙ୍କର ପ୍ରାୟ ୮୫ଟି ଅଭିଯୋଗର ଶୁଣାଣି କରିଥିଲେ । ଆଜି ଦ୍ଵିତୀୟ ଶନିବାର ସରକାରୀ ଛୁଟିଦିବସ ଥିବା ସତ୍ତ୍ୱେ ଲାଠିକଟା ବିଡ଼ିଓ ମାନସ ରଞ୍ଜନ ସାହୁଙ୍କ ସମେତ ଆର୍ଡ଼ବ୍ଲ୍ୟୁଏସ୍ଏସ୍, ସ୍ୱାସ୍ଥ୍ୟ ଏବଂ ବିଦ୍ୟୁତ ବିଭାଗ ସମେତ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏହି ଶିବିରରେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣିବା ସହିତ ସେହିଠାରେ ହିଁ ଏହାର ସମାଧାନ ମଧ୍ୟ କରିଥିଲେ । ଏଠାରେ ସୂଚନାଯୋଗ୍ୟ କି ଲୋଚଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟାକୁ ଶୁଣି ଉକ୍ତ ସମସ୍ୟାର ତୁରନ୍ତ ସମାଧାନ କରିବା ଉଦ୍ୟେଶ ନେଇ ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ପ୍ରତ୍ୟେକ ପଞ୍ଚାୟତରେ ବିଧାୟକ ଦୁର୍ଗା ତନ୍ତୀଙ୍କ ପରାମର୍ଶ କ୍ରମେ ଏଭଳି ଶିବିରର ଆୟୋଜନ କରାଯାଉଛି । ଏହିକ୍ରମରେ ଆଜି ଜଲଦା ପଞ୍ଚାୟତରେ ୫ମ ଶିବିର ଆୟୋଜନ କରାଯାଇଛି । ଏହା ପୂର୍ବରୁ ରାମଜୋଡୀ, ଲାଠିକଟା, ସୁଇଡ଼ିହି, ମୁଣ୍ଡାଜୋର ଆଦି ଗ୍ରାମ ପଞ୍ଚାୟତରେ ଏଭଳି ଅଭିଯୋଗ ଶୁଣାଣି ଶିବିରମାନ ଆୟୋଜନ ହୋଇସାରିଛି । ଏଭଳି ଅଭିଯୋଗ ଶୁଣାଣି ଶିବିର ପ୍ରଥମଥର ପାଇଁ ପଞ୍ଚାୟତ ସ୍ତରରେ ଆୟୋଜନ କରାଯାଇଥିବାରୁ ଏବଂ ଶିବିରରେ ହିଁ ଲୋକଙ୍କ ଅନେକ ସମସ୍ୟାର ସମାଧାନ ହୋଇ ଯାଉଥିବାରୁ ଶିବିର ନିୟମିତ ଆୟୋଜନ କରାଯାଉ ବୋଲି ଅଂଚଳବାସୀମାନେ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ନିଜଟରେ ଦାବି ଉପସ୍ଥାପନ କରିବା ସହିତ ଏଭଳି ଆୟୋଜନ ପାଇଁ ସେମାନେ ବିଧାୟକଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।