
କଣ୍ଟାବାଞ୍ଜି, (କେପିଏନ୍ଏସ୍) : କଣ୍ଟାବାଞ୍ଜି ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଏକ ସଚେତନତା ସଭା ଓ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସଭାରେ କାର୍ଯ୍ୟବାହୀ ଅଧ୍ୟକ୍ଷା ସବିତା ମହାପାତ୍ର ସଭାପତିତ୍ୱ କରିଥିଲେ । ସେ ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ସ୍ୱଚ୍ଛ, ସୁସ୍ଥ ଓ ଦୁର୍ନୀତିମୁକ୍ତ ଭାରତ ଗଠନ ନିମନ୍ତେ ଶପଥ ପାଠ କରାଇଥିଲେ । ଏହି ଅବସରରେ ଓଡ଼ିଆ ବିଭାଗର ମୁଖ୍ୟା ପ୍ରଭାସିନୀ ରାଉତରାୟ ମୁଖ୍ୟ ଅତିଥି ଭାବେ ମଞ୍ଚାସୀନ ଥିଲେ । ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ତଥା କାର୍ଯ୍ୟକ୍ରମର ଆବାହକ ଯଶୋବନ୍ତ ନାରାୟଣ ମିଶ୍ର ଦୁର୍ନୀତି ନିବାରଣ ସପ୍ତାହ ପାଳନର ଉଦ୍ଦେଶ୍ୟ ଓ ଏହାର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ସମାଜରୁ ଦୁର୍ନୀତି ଦୂର କରିବାରେ ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଭୂମିକା ରହିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଜ୍ଞାନ ପରୀକ୍ଷା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ସୁନିତା ମାଝୀ ପ୍ରଥମ, ପ୍ରଦ୍ୟୁମ୍ନ ପାରେଖ ଦ୍ୱିତୀୟ ଏବଂ ଦେବରାଜ ନାଏକ ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଇଂରାଜୀ ଅଧ୍ୟାପିକା ବବିତା ଦେବଦର୍ଶିନୀ ସଭାର ସଂଯୋଜନା କରିଥିବା ବେଳେ ଅଧ୍ୟାପକ ରମେଶ ମହାନନ୍ଦ, ଅଧ୍ୟାପିକା ଅନ୍ନପୂର୍ଣ୍ଣା ପଣ୍ଡା, ସୁଚିତ୍ରା ବେହେରା, ଅଲିଭା ସିଂ ଓ ସନ୍ଧ୍ୟାରାଣୀ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ହିସାବରକ୍ଷିକା ଦିଶା ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ସଚ୍ଚୋଟତା, ସ୍ୱଚ୍ଛତା ଓ ନୈତିକତାର ମୂଲ୍ୟବୋଧକୁ ଜୀବନରେ ଆପଣେଇବା ହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ବାର୍ତ୍ତା ଥିଲା ।