
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ ତମ ଜୟନ୍ତୀ ତଥା ଜାତୀୟ ଏକତା ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାରେ ପଦଯାତ୍ରା ଆୟୋଜିତ ହୋଇଯାଇଛି । ସକାଳେ ଡିଆର୍ଡିଏ କାର୍ଯ୍ୟାଳୟଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହା ପୂର୍ବରୁ ଉପସ୍ଥିତ ସମସ୍ତ ଅଧିକାରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଜିଲ୍ଲାପାଳ ଦେବାଶିଷ ସିଂହ ଓ ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଖେଲୋ ଇଣ୍ଡିଆର ଅଂଶଗ୍ରହଣକାରୀ ଏବଂ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ । ଏଥିରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର ଏବଂ ଡିଏସପି (ଭିଜିଲାନ୍ସ) ଶ୍ରୀମତୀ ରିତାଞ୍ଜଳି ପ୍ରଧାନ ଉପସ୍ଥିତ ଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ପଦଯାତ୍ରା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଜାତୀୟ ଏକତା ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜାତୀୟ ଏକତାର ଶପଥ ପାଠ କରାଯାଇଥିଲା ।