jayashree

ସିନ୍ଧେକେଲା ଦ୍ୱାରସେନୀ ମନ୍ଦିରରୁ ଚୋରି ଘଟଣାକୁ ନେଇ ଥାନା ଘେରାଉ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲାର ଗ୍ରାମଦେବୀ ଦ୍ୱାରସେନୀ ମନ୍ଦିରରେ ଚୋରି ଘଟଣାକୁ ନେଇ ତେଜିଛି ଅସନ୍ତୋଷ । ଘଟଣାକୁ ନେଇ ଏଯାଏଁ ପୋଲିସ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନଥିବା ଅଭିଯୋଗ କରିଛି ଆଦିବାସୀ ସଂଘ । ଏହାସହ ସିନ୍ଧେକେଲା ଥାନା ଅଞ୍ଚଳରେ ବଢୁଥିବା ଚୋରି ଘଟଣା ଏବଂ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ମଧ୍ୟ ସଂଘ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି । ମନ୍ଦିର ଭଳି ଧାର୍ମିକ ସ୍ଥାନରେ ଚୋରି ଘଟଣା ଘଟିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି । ଚୋରି ଘଟଣାର ତୁରନ୍ତ ତଦନ୍ତ କରି ଦୋଷୀଙ୍କୁ ଧରିବା ସହ ସିନ୍ଧେକେଲା ଅଞ୍ଚଳରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦାବିରେ ମଙ୍ଗଳବାର ଆଦିବାସୀ ସଂଘ ପକ୍ଷରୁ ସିନ୍ଧେକେଲା ଥାନା ଘେରାଉ କରାଯାଇଥିଲା । ଗିରିରାଜ ସିଂ ମାଝୀଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଥାନା ସମ୍ମୁଖରେ ଏକତ୍ରିତ ହୋଇ ଚୋରି ଘଟଣାରେ ଶୀଘ୍ର ପଦକ୍ଷେପ ନେବାକୁ ଦାବି କରିଥିଲେ । ତେବେ ଦ୍ୱାରସେନୀ ମନ୍ଦିର ଚୋରି ଘଟଣାରେ ପୋଲିସର ତଦନ୍ତ କେଉଁ ଦିଗରେ ଆଗକୁ ବଢୁଛି ଏବଂ ଅଭିଯୁକ୍ତମାନେ କେବେ ଧରାପଡ଼ିବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ।

Leave A Reply

Your email address will not be published.