
- “ଏହି ସମ୍ମାନ ବଲାଙ୍ଗିରବାସୀଙ୍କ ସମ୍ମାନ” : ଅଧ୍ୟକ୍ଷା ଲିକା ସାହୁ
ବଲାଙ୍ଗିର, (କେପିଏନ୍ଏସ୍) : ୨୦୨୫–୨୬ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ବଲାଙ୍ଗିର ପୌର ପରିଷଦକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ । ଏହି ପୁରସ୍କାର ପ୍ରଦାନ ସମାରୋହ ଆସନ୍ତା ୩୧ ତାରିଖରେ ଭୁବନେଶ୍ୱରସ୍ଥିତ କୃଷି ଭବନ ଠାରେ ଅନୁଷ୍ଠିତ ହେବ । ଏହି ଅବସରରେ ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କୁ ଆଜି ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପହଞ୍ଚିଛି । ଏହି ସମ୍ମାନକୁ ନେଇ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ କହିଛନ୍ତି ଯେ, “ଏହି ସଫଳତା କେବଳ ପୌର ପରିଷଦର ନୁହେଁ; ଏହା ବଲାଙ୍ଗିର ସହରର ସମସ୍ତ ଜନସାଧାରଣଙ୍କ ଚେଷ୍ଟା, ପ୍ରଚେଷ୍ଟା ଓ ସହଯୋଗର ଫଳ ।” ସହରର ବିକାଶ ଓ ପୌର ପରିଷଦର କାର୍ଯ୍ୟକୁ ସଫଳ କରିବାରେ ସହରବାସୀଙ୍କ ସହଯୋଗକୁ ସେ ଭୂୟସୀ ପ୍ରଶଂସା କରିବା ସହ ବଲାଙ୍ଗିର ଜିଲ୍ଲା ପ୍ରଶାସନ, କାର୍ଯ୍ୟନିର୍ବାହୀ ଅଧିକାରୀ, ଉପ ନଗରପାଳ, ପରିଷଦର ସମସ୍ତ ସଦସ୍ୟ ଓ ସଦସ୍ୟା, ପୌର ପରିଷଦର ସମସ୍ତ କର୍ମଚାରୀ ଏବଂ ରାଜ୍ୟ ସରକାରଙ୍କୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଏହି ପୁରସ୍କାର ବଲାଙ୍ଗିର ସହରର ବିକାଶ ଯାତ୍ରାକୁ ଆହୁରି ଗତିଶୀଳ କରିବା ସହ ପୌର ପରିଷଦର ଅଧିକ ଦାୟିତ୍ୱ ଓ ଉତ୍ସାହ ବଢ଼ାଇବ ବୋଲି ସେ କହିଛନ୍ତି ।
