
କେସିଙ୍ଗା, (ପ୍ରୀତେଶ ପଟେଲ) : ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ମନସ୍କତା, ଅନୁସନ୍ଧାନମୂଳକ ଚିନ୍ତାଧାରା ଓ ସମସ୍ୟା ସମାଧାନ କୌଶଳ ବିକଶିତ କରିବା ପାଇଁ ଆରମ୍ଭ ହୋଇଥିବା ଏକ ଜାତୀୟସ୍ତରର ବିଜ୍ଞାନ ଆନ୍ଦୋଳନ ତଥା ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ସଫଳତାର ସହ ଅଂଶଗ୍ରହଣ କରିବାର ଲକ୍ଷ୍ୟ ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ପରିସରରେ ଏକ ବୈଠକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କେସିଙ୍ଗା, ଆନନ୍ଦ କୁମାର ବେହେରା ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଜିଲ୍ଲା ସଂଯୋଜକ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ, ରବିନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବରେ ସାଧନକର୍ମୀ ତଥା ପ୍ରଧାନଶିକ୍ଷକ, ପ୍ରକାଶ ନିଶାଙ୍କ, ସରକାରୀ ଉଚ୍ଚ ବିଦ୍ୟାଳୟ, ବୋର୍ଡା, ଜତିନ୍ କୁମାର ପଧାନ, ପ୍ରଧାନଶିକ୍ଷକ ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଟୁଣ୍ଡଲା, ଜତିନ୍ଦ୍ର କୁମାର ପ୍ରଧାନ, ପ୍ରଧାନଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ, ଚାଞ୍ଚେର୍ ଏବଂ ହେମନ୍ତ କୁମାର ବାଗ, ପ୍ରଧାନ ଶିକ୍ଷକ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ଯୋଗଦାନ କରିଥିଲେ । ଉକ୍ତ ବୈଠକରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅବସରରେ କେସିଙ୍ଗା ବ୍ଲକର ବିଭିନ୍ନ ବିଦ୍ୟାଳୟ କିପରି ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତି କରିବେ ସେ ସମ୍ପର୍କରେ ରବିନ୍ଦ୍ର କୁମାର ପଟ୍ଟନାୟକ ଓ ପ୍ରକାଶ ନିଶାଙ୍କ ବିଶଦ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କେସିଙ୍ଗା ବ୍ଲକର ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ ତଥା ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ, କେସିଙ୍ଗା ଆନନ୍ଦ କୁମାର ବେହେରାଙ୍କ ସଭାପତିତ୍ୱରେ କେସିଙ୍ଗା ବ୍ଲକସ୍ତରୀୟ ବିଜ୍ଞାନ ମଞ୍ଚର ଗଠନ କରାଯିବା ସହ ସଂଗଠିତ କାର୍ଯ୍ୟଧାରା ନିମନ୍ତେ ବିଭିନ୍ନ କର୍ମକର୍ତ୍ତାମାନଙ୍କୁ ସର୍ବ ସମ୍ମତି କ୍ରମେ ନିର୍ବାଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଜି. କ୍ରିଷ୍ଣା ରେଡି ସଂଯୋଜନା କରିଥିବା ବେଳେ ହେମନ୍ତ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।