jayashree

ବଣିକ ସଂଘରେ ଆର୍ଥିକ ଅନିୟମିତତା ଅଭିଯୋଗ

ପାରାଦୀପ, (କେପିଏନ୍‌ଏସ୍‌) : ଲକ୍ଷ ଲକ୍ଷ ଟଙ୍କାର ହିସାବ ମିଳୁନି । ଏମିତି କିଛି ଅଭିଯୋଗ ଆଣିଛନ୍ତି ପାରାଦୀପ ପୋର୍ଟ ବଣିକ ସଂଘର ସାଧାରଣ ବ୍ୟବସାୟୀ । ଯାହାକୁ ନେଇ ଏବେ ପାରାଦୀପରେ ଜୋରଦାର ଚର୍ଚ୍ଚା । ପାରାଦୀପ ପୋର୍ଟ ବଣିକ ସଂଘ ଓ ସାଧାରଣ ବ୍ୟବସାୟୀଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି । ମିଳିଥିବା ସୂଚନା ଅନୁସାରେ ଚଳିତ ମାସ ଅଗଷ୍ଟ ୧୫ ତାରିଖରେ ପାରାଦୀପ ପୋର୍ଟ ବଣିକ ସଂଘର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସାଧାରଣ ବ୍ୟବସାୟୀମାନେ ଗତ ୨ବର୍ଷରେ ବଣିକ ସଂଘ ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଥିବା ଟଙ୍କାର ହିସାବ ମାଗିଥିଲେ, କିନ୍ତୁ କର୍ମକର୍ତ୍ତାମାନେ ହିସାବ ଦେଇ ପକ୍ଷରିନଥିଲେ ଓ ଆୟ ବ୍ୟୟ ହିସାବ ମାଗିଥିବା ବ୍ୟବସାୟୀ ମାନଙ୍କୁ କହିବାକୁ ସୁଯୋଗ ନ ଦେଇ ସେମାନଙ୍କ ଠାରୁ ମାଇକ ଛଡାଇ ନେଇଥିଲେ । ଏହାକୁ ନେଇ ସଭାପତି, ସମ୍ପାଦକ, ଅନ୍ୟ କର୍ମକର୍ତ୍ତା ଓ ସାଧାରଣ ବ୍ୟବସାୟୀ ମାନଙ୍କ ମଧ୍ୟରେ ଯୁକ୍ତି ତର୍କ ହେବାରୁ ସାଧାରଣ ପରିଷଦ ବୈଠକ ଅଧାରୁ ବନ୍ଦ ରହିଥିଲା ଓ କଥା ଥାନାରେ ପହଂଚିଥିଲା । ବଣିକ ସଂଘର କର୍ମକର୍ତ୍ତାମାନେ ପ୍ରଶ୍ନ ପଚାରିଥିବା ବ୍ୟବସାୟୀ ମାନଙ୍କୁ ଅଭ୍ୟାସଗତ ବିଶୃଙ୍ଖଳାକାରୀ ଦର୍ଶାଇ ଓ ମଦ ପିଇ ବୈଠକକୁ ଆସି ବିଶୃଙ୍ଖଳା ସୃଷ୍ଟି କରିବା ଆଦି ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିବା ବେଳେ ସାଧାରଣ ବ୍ୟବସାୟୀମାନେ ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି । ଅଗଷ୍ଟ ୧୬ ତାରିଖରେ ବଣିକ ସଂଘ କର୍ମକର୍ତ୍ତାଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ପୂର୍ବତନ ସଭାପତି ସନ୍ତୋଷ ପଟ୍ଟନାୟକଙ୍କ ଇସାରାରେ କିଛି ନିର୍ଦ୍ଦିଷ୍ଟ ଅସାମାଜିକ, ବିଶୃଙ୍ଖଳାକାରୀ ସାଧାରଣ ଅଧିବେଶନ ବୈଠକରେ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି ବୋଲି କହିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏପଟେ ଅଗଷ୍ଟ ୧୯ ତାରିଖରେ ସାଧାରଣ ବ୍ୟବସାୟୀଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ, ଆମ ସ୍ଵର ଦବିବନି, କର୍ମକର୍ତ୍ତା ମାନେ ଚଳାଇ ଥିବା ଏକଛତ୍ରବାଦ ଶାସନ ଉପରେ ରୋକ୍ ଲଗାଇବା ସହିତ ଲକ୍ଷ ଲକ୍ଷ ଟଙ୍କାର ହିସାବ ନ ଦେବା ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବ ବୋଲି କହିଛନ୍ତି ସାଧାରଣ ବ୍ୟବସାୟୀ ।

Leave A Reply

Your email address will not be published.