
ବରଗଡ, (ମୁନ୍ନା ସାହୁ) : ବରଗଡ଼ ସହରରେ ଦିନକୁ ଦିନ ବଢ଼ୁଥିବା ଅଳିଆ-ଆବର୍ଜନା ସମସ୍ୟାକୁ ନେଇ ଏବେ ତେଜିଛି ଅସନ୍ତୋଷ । ସହରର ବିଭିନ୍ନ ସ୍ଥାନରେ ଦୀର୍ଘଦିନ ଧରି ଆବର୍ଜନା ପଡ଼ି ରହିଥିବା ବେଳେ, ଅନେକ ଦୋକାନ ଓ ଆବଶ୍ୟକ ସ୍ଥାନରେ ଡଷ୍ଟବିନ୍ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି । ଏହି ସମସ୍ୟାକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ଉଦ୍ବେଗ ପ୍ରକାଶ କରାଯିବା ସହ ବରଗଡ଼ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର ଦିଆଯାଇଛି । ପୂର୍ବତନ ଛାତ୍ର କଂଗ୍ରେସ ରାଜ୍ୟ ଉପସଭାପତି ଗୌରବ ପତି ଆଜାଦଙ୍କ ନେତୃତ୍ୱରେ ଏହି ଦାବି ଉଠାଯାଇଛି । ଛାତ୍ର କଂଗ୍ରେସର ଅଭିଯୋଗ ଅନୁସାରେ, ସହରର ଅନେକ ସ୍ଥାନରେ ଦୀର୍ଘ ସମୟ ଧରି ଆବର୍ଜନା ଉଠାଯାଉନାହିଁ । ଫଳରେ ପରିବେଶ ଦୂଷିତ ହେବା ସହ ଜନସାଧାରଣଙ୍କ ପାଇଁ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହେଉଛି । ଏପଟେ ଡଷ୍ଟବିନ୍ ଅଭାବରୁ ରାସ୍ତାକଡ଼ରେ ଅଳିଆ ଜମା ହେଉଥିବା ମଧ୍ୟ କୁହାଯାଇଛି । ତୁରନ୍ତ ଆବର୍ଜନା ସଫେଇ, ଆବଶ୍ୟକ ସ୍ଥାନ ଓ ଦୋକାନ ସମ୍ମୁଖରେ ଡଷ୍ଟବିନ୍ ସ୍ଥାପନ ଏବଂ ନିୟମିତ ଭାବେ ଅଳିଆ ଉଠାଣ ପାଇଁ ଛାତ୍ର କଂଗ୍ରେସ ଦାବି କରିଛି । ଏଥିପାଇଁ ପୌରପରିଷଦକୁ ୧୦ ଦିନର ସମୟସୀମା ଦିଆଯାଇଛି । ତେବେ ଏହି ସମୟ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।ଦ ଛାତ୍ର କଂଗ୍ରେସ । ଗୌରବ ପତି ଆଜାଦ କହିଛନ୍ତି, ସହରର ବିଭିନ୍ନ ସ୍ଥାନରେ ପଡ଼ିଥିବା ଆବର୍ଜନାକୁ ଟ୍ରାକ୍ଟରରେ ସଂଗ୍ରହ କରି ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ପକାଇ ପ୍ରତିବାଦ କରାଯିବ । ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ବରଗଡ଼ ସହରର ପରିମଳ ବ୍ୟବସ୍ଥାରେ ତୁରନ୍ତ ସୁଧାର ଆଣିବାକୁ ଛାତ୍ର କଂଗ୍ରେସ ଦାବି କରିଥିବା ବେଳେ, ଏବେ ପୌରପରିଷଦର ପଦକ୍ଷେପକୁ ନେଇ ନଜର ରହିଛି ।