
- ମୃତ୍ୟୁ ପରେ ଇଓଙ୍କ ଅବହେଳା ଅଭିଯୋଗ
ବଲାଙ୍ଗିର, (କେପିଏନ୍ଏସ୍) : ଭତ୍ତା ପାଇଁ ଅପେକ୍ଷା କରି କରି ଶେଷରେ ଆଖି ବୁଜିଲେ ଖର୍ଲିକାନୀ ଗାଁର ବୃଦ୍ଧ ବୀର ମୁଣ୍ଡା । ଅସୁସ୍ଥ ହୋଇ ରୋଗ ଶଯ୍ୟାରେ ପଡ଼ିଥିବା ବୀରଙ୍କ ପାଇଁ ତାଙ୍କ ସ୍ତ୍ରୀ ଭତ୍ତା ଦେବାକୁ ଶିକାଛିଡ଼ା ଗ୍ରାମପଞ୍ଚାୟତର ଇଓଙ୍କୁ ଅନୁରୋଧ କରିଥିବା ଅଭିଯୋଗ ହୋଇଛି । ପରିବାରର କହିବା ଅନୁସାରେ, ଇଓ ନିଜେ ଘରକୁ ଆସି ଭତ୍ତା ଦେବେ ବୋଲି କହିଥିଲେ । କିନ୍ତୁ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ଭତ୍ତା ନମିଳିବା ସହ ଏହିଦିନ ବୀର ମୁଣ୍ଡାଙ୍କ ମୃତ୍ୟୁ ହୋଇଯାଇଛି । ଭତ୍ତା ମିଳିଥିଲେ ସ୍ୱାମୀଙ୍କ ପାଇଁ ଔଷଧ କିଣିପାରିଥାନ୍ତେ ବୋଲି ଲୁହଭରା କଣ୍ଠରେ ତାଙ୍କ ସ୍ତ୍ରୀ କହିଛନ୍ତି । ପରେ ସ୍ଥାନୀୟ ସରପଞ୍ଚ ନିଜ ହାତରୁ ଆର୍ଥିକ ସହଯୋଗ କରିବା ପରେ ବୃଦ୍ଧଙ୍କ ଶବ ଘରୁ ଉଠିଥିବା ଜଣାପଡ଼ିଛି । ଭତ୍ତା ପ୍ରଦାନରେ ଅବହେଳା ଓ ଦାୟିତ୍ୱହୀନତା ଅଭିଯୋଗ ଆଣି ଇଓଙ୍କ ବିରୋଧରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି ।