jayashree

ବ୍ଲକସ୍ତରୀୟ ଦୁଇ ଦିନିଆ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ପିଏମ୍‌ଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ବ୍ଲକସ୍ତରୀୟ ଦୁଇ ଦିନିଆ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ଓ କର୍ମଶାଳା ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଛତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଚିତ୍ରା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର ଆବଶ୍ୟକତା ଏବଂ ଉଲ୍ଲାସ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସେ ନିରକ୍ଷରତା ଦୂରୀକରଣ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଛତ୍ରପୁର ପୌରପରିଷଦ ଉପାଧ୍ୟକ୍ଷ ଜି. ପାପା ରାଓ, ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ଏସ୍. ଶାରଦା ରେଡ୍ଡୀ, ସିଡିପିଓ ପ୍ରଣମିତା ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ନମିତା ରାଉତ ଓ ସଂଯୁକ୍ତା ରଥ ଯୋଗଦେଇ ଅଶିକ୍ଷିତ ଓ ଅଧାରେ ପାଠ ଛାଡ଼ିଦେଇଥିବା ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସାକ୍ଷର କରିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କୁ ସମ୍ମାନିତ କରାଯାଇଥିଲା । ସେମାନେ ନିରକ୍ଷରଙ୍କୁ ସାକ୍ଷର କରିବା ସାମାଜିକ ଦାୟିତ୍ୱ ବୋଲି ମତ ପ୍ରକାଶ କରିଥିଲେ । କର୍ମଶାଳାର ପ୍ରଥମ ଦିନରେ ପ୍ରଧାନ ଶିକ୍ଷକମାନେ ଯୋଗଦେଇଥିବା ବେଳେ ଦ୍ୱିତୀୟ ଦିନରେ ସୁପରଭାଇଜର, ଅଙ୍ଗନୱାଡି କର୍ମୀ, ସ୍ୱେଚ୍ଛାସେବୀ ଶିକ୍ଷକ ଏବଂ ସରପଞ୍ଚମାନେ ଅଂଶଗ୍ରହଣ କରିଥିଲେ । ଶିକ୍ଷକ ବସନ୍ତ ପ୍ରଧାନ ଓ କୃଷ୍ଣଚନ୍ଦ୍ର ଦାଶ ପ୍ରଶିକ୍ଷକ ଭାବେ ତାଲିମ ପ୍ରଦାନ କରିଥିବା ବେଳେ କୈଳାଶ ପଣ୍ଡା, ଆଲୋକ ସେଠୀ, ସୁଶାନ୍ତ ସେଠୀ, ସମସ୍ତ ସିଆରସିସି ଏବଂ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଜିତ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.