
- ୧୫ ବର୍ଷ ବୟସରେ ନିଖୋଜ ଥିଲେ : ୪୫ ବର୍ଷରେ ଗାଁକୁ ଆସିଲେ ସୁବୋଧ
ଦେଓଗାଁ, (ମନୀଷ କୁମାର ସାହୁ) : ପିଲାଟି ଦିନରୁ ମେଧାବୀ ଥିଲେ । ଭଲ ପାଠ ବି ପଢ଼ୁଥିଲେ କିନ୍ତୁ ମାଟ୍ରିକ ପରୀକ୍ଷାରେ ଫେଲ୍ କରିବା ପରେ ଘର ଲୋକଙ୍କ ଠାରୁ ଗାଳି ଶୁଣି କୁଆଡ଼େ ଫେରାର ହୋଇଯାଇଥିଲେ । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ ଅନ୍ତର୍ଗତ ସାଲେପାଲି ଗାଁର ସୁବୋଧ ଭୋଇ । ତେବେ ୧୫ ବର୍ଷ ହେଉଥିବା ବେଳେ ଗାଁରୁ ଫେରାର ହୋଇଥିବା ଯୁବକ ୪୫ ବର୍ଷ ହେବା ପରେ ନିଜ ଜନ୍ମ ମାଟିକୁ ଫେରିବା ଚର୍ଚ୍ଚାର ବିଷୟ ହୋଇଛି । ତେବେ ଜଣେ ଓଡ଼ିଆ ପୁଅ ରାଜ୍ୟ ବାହାରେ ଜଣେ ଓଡ଼ିଆ ଯୁବକଙ୍କ ସହ ଚିହ୍ନା ପରିଚୟ ହେବା ପରେ ତାଙ୍କୁ ନିଜ ଗାଁକୁ ଆଣି ଛାଡ଼ିବା ଓଡ଼ିଆ ମାନବିକତାର ଭିନ୍ନ ଏକ ପରିଚୟ ସୃଷ୍ଟି ହୋଇଛି । ତେବେ ସାଲେପାଲି ଗାଁର ରଜନୀକାନ୍ତ ଭୋଇଙ୍କ ପୁଅ ସୁବୋଧ ଭୋଇ (୪୫) ଦୀର୍ଘ ୩୦ ବର୍ଷ ପରେ ନିଜ ଜନ୍ମମାଟି ସାଲେପାଲିକୁ ଫେରିଛନ୍ତି । ସୁବୋଧଙ୍କୁ ଯେତେବେଳେ ମାତ୍ର ୧୫ ବର୍ଷ ବୟସ ହେଉଥିଲା ସେତେବେଳେ ସେ ଘର ଛାଡ଼ି କୁଆଡ଼େ ଚାଲିଯାଇଥିଲେ । ସମୟ ଗଡ଼ି ଚାଲିଲା, ବର୍ଷ ପରେ ବର୍ଷ ବିତିଗଲା । ପରିବାର ଲୋକେ ଯେତେ ଖୋଜାଖୋଜି କରିଥିଲେ ବି ପାଇନଥିଲେ । ତେବେ ଦୀର୍ଘ ବର୍ଷ ଧରି ସେ କୋଲକାତାର ହାୱଡ଼ା ଅଞ୍ଚଳରେ ରହିବା ପରେ ନୟାଗଡ଼ର ଦେବୀ ପ୍ରସାଦ ମହାନ୍ତିଙ୍କ ଶହ ଦେଖା ହୋଇଥିଲା । ଉଭୟଙ୍କ କଥାବାର୍ତ୍ତା ପରେ ନିଜ ଗାଁକୁ ବାପା ମା’ ପାଖକୁ ଫେରିବା ପାଇଁ ବୁଝାସୁଜା କରିଥିଲେ । ଶ୍ରୀ ମହାନ୍ତି ଓଡ଼ିଆ ମାନବିକତା ଦେଖାଇଏକ କାର ଯୋଗେ କଲକତାରୁ ସାଲେପାଲି ଗାଁକୁ ଆଣି ଘରେ ଛାଡିଛନ୍ତି । ତେବେ ଦୀର୍ଘ ୩୦ ବର୍ଷ ପରେ ପରିବାର ଲୋକେ ପ୍ରମୋଦକୁ ପାଇ ଚିହ୍ନି ପାରିନଥିଲେ ବୟସ ବଢ଼ିବା ସହ ଚେହେରାରେ ବି ପରବର୍ତ୍ତନ ହୋଇଥିବାରୁ । ଏପରିକି ନିଖୋଜର ୩୦ ବର୍ଷ ପରେ ଗାଁକୁ ପ୍ରମୋଦ ଫେରିବାର ଜଣାପଡ଼ିବା ପରେ ଲୋକାରଣ୍ୟ ହୋଇପଡ଼ିଥିଲା ସାଲେପାଲି ଗାଁ । ୩୦ ବର୍ଷ ପରେ ନିଜ ଗାଁର ମାଟିରେ ପାଦ ରଖିବା, ନିଜ ଲୋକଙ୍କୁ ପୁଣିଥରେ ଦେଖିବା ପରେ ଜଣେ ବ୍ୟକ୍ତି କିଭଳି ନିଜ ପରିବାର ଲୋକଙ୍କୁ ଚିହ୍ନି ପାରୁଛି ତାହାକୁ ନେଇ ସାଲେପାଲି ଅଞ୍ଚଳରେ ଚର୍ଚ୍ଚା ଲାଗିରହିଛି ।