jayashree

ଆର୍‌ଏମ୍‌ଏସ୍‌ ଡିଭିଜନକୁ କଟକରେ ସମ୍ମିଶ୍ରଣର ବିରୋଧ

  • ଏଚ୍‌ଏମ୍‌ଏସ୍‌ ରାଜ୍ୟ ଉପସଭାପତି ରବି ରଥ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ୪୮ ବର୍ଷ ପୁରୁଣା ଆର୍‌ଏମ୍‌ଏସ୍‌ ବ୍ରହ୍ମପୁର ଗଞ୍ଜାମ ଡିଭିଜନକୁ କଟକସ୍ଥିତ ଡିଭିଜନରେ ମିଶାଇବାକୁ ମସୁଧା ହେଉଛି । ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲା ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟାଳୟର ପ୍ରଶାସନିକ କ୍ଷମତାକୁ ଅପସାରଣ କରାଗଲା । ଗଞ୍ଜାମ ଜିଲ୍ଲାବାସୀଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଯୋଡ଼ି ହୋଇଥିବା ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ପ୍ରଭାବିତ ହେବେ । ଏନେଇ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଡାକ ବିଭାଗକୁ ସାମାଜିକ ଗଣମାଧ୍ୟମରେ କହିଛନ୍ତି । ଏହି ନିଷ୍ପତ୍ତିକୁ ଅବଗତ ପ୍ରତ୍ୟାହାର କରିବାକୁ କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ନିକଟରେ ଦାବି କରିଛନ୍ତି । ବର୍ତ୍ତମାନ କାର୍ଯ୍ୟାଳୟରେ ଏକ ହଜାରରୁ ଅଧିକ ପାର୍ସଲ, ୧୫ ହଜାରରୁ ଅଧିକ ସ୍ପିଡ୍‌ ପୋଷ୍ଟ, ୨୦ ହଜାର ସାଧାରଣ ପୋଷ୍ଟ ଓ ୫୦୦ ପ୍ରାୟ ନିୟମିତ ବୁକିଂ କରାଯାଉଛି । ଏଠାରେ ଇନଷ୍ଟାଣ୍ଟ ପ୍ରୋସେସିଂ ବୁକିଂ କରାଯାଉଥିବାରୁ ଆଏର୍ମ୍‌ଏସ୍‌ କାଉଣ୍ଟରରୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ସହଜ ହେଉଛି । ଏହାକୁ ପରିବର୍ତ୍ତନ କରି କେବଳ ବୁକିଂ କାଉଣ୍ଟରରେ ସୀମିତ କରି ରଖାଗଲେ ଗ୍ରାହକଙ୍କ ନିକଟରେ ସେମାନଙ୍କ ପାର୍ସଲ ପହଞ୍ଚିବାରେ ସମସ୍ୟା ଉପୁଜିବ ବୋଲି ଅନେକ ପ୍ରାକ୍ତନ ଡାକ କର୍ମଚାରୀ ଯୁକ୍ତି ବାଢ଼ିଛନ୍ତି । କଟକ ଡିଭିଜନରେ ଏହାର ସମ୍ମିଶ୍ରଣ ହେଲେ ବିଭିନ୍ନ କାର୍ଯ୍ୟଧାରା ବିଳମ୍ୱ ହେବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପ୍ରଭାବିତ ହେବ । ଏଠାରୁ ପ୍ରଶାସନିକ କାର୍ଯ୍ୟର ଅପସାରଣ ଦ୍ୱାରା ଦୁଇରୁ ତିନି ଦିନରେ ହେଉଥିବା କାମ ଅତିରିକ୍ତ ଦିନ ଲାଗିବ । ସେହିପରି ଡିଭିଜନ ସମ୍ମିଶ୍ରଣ ପରେ ଆରଏମ୍‌ଏସ୍‌ କାର୍ଯ୍ୟାଳୟ ନିଜର ଗୁରୁତ୍ୱ ହରାଇବ । ଯାହାଫଳରେ ଡାକ ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ବିଳମ୍ୱ, ପ୍ରଶାସନିକ କାର୍ଯ୍ୟ ପ୍ରଭାବିତ ଓ କର୍ମଚାରୀଙ୍କୁ କୌଣସି କାମ ପାଇଁ ଅଧିକ ବାଟ ଯିବାକୁ ପଡ଼ିବ । ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଗଲେ ବର୍ତ୍ତମାନ ହେଉଥିବା ଅନ୍ତର୍ଜାତୀୟ ପାର୍ସଲ ବୁକିଂ ଠାରୁ ଆରମ୍ଭ କରି ବଲକ୍‌ ବୁକିଂ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । କୌଣସି ଗ୍ରାହକଙ୍କ ଡାକ ପାଇବାରେ ସମସ୍ୟା ହେଲେ ଅଭିଯୋଗ ପାଇଁ କଟକ ଯିବାକୁ ହେବ । ସେଠାରେ ଅଭିଯୋଗର ତଦନ୍ତରେ ବିଳମ୍ୱ ହେବା ସମସ୍ତ ଦିଗକୁ ଅନୁଧ୍ୟାନ କରି ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ନିଷ୍ପତ୍ତିକୁ ବାତିଲ କରିବାକୁ ସାଧାରଣରେ ଦାବି ହୋଇଛି । ଏ ସମ୍ପର୍କରେ ହିନ୍ଦ୍‌ ମଜଦୁର ସଭା (ଏଚଏମଏସ) ରାଜ୍ୟ ଉପସଭାପତି ତଥା ଶ୍ରମିକ ନେତା ରବି ରଥ କେନ୍ଦ୍ର ଯୋଗାଯୋଗ ବିଭାଗ ମନ୍ତ୍ରୀ ଜ୍ୟୋତିରାଜିତ୍ୟ ସିନ୍ଧିଆଙ୍କୁ ଏକ ପତ୍ର ଲେଖି ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.