
ବଲାଙ୍ଗିର, (କେପିଏନ୍ଏସ୍) : ଭାରତର ୬୫ ପ୍ରତିଶତ ହେଉଛନ୍ତି ଯୁବକ ଯୁବତୀ । ସେମାନଙ୍କୁ ଶାରୀରିକ, ମାନସିକ ଓ ବୌଦ୍ଧିକ ଭାବେ ସଶକ୍ତ କରିବା ହେଉଛି ଆଜିର ମୁଖ୍ୟ ଆହ୍ୱାନ । ଅଧିକାଂଶ ଯୁବକ ନିଶା କବଳରେ ପୀଡ଼ିତ । ସେମାନଙ୍କୁ ଉଚିତ୍ ଦିଗଦର୍ଶନ ଦେବା ସମସ୍ତ ବୁଦ୍ଧିଜୀବୀ, ପରିବାର ଓ ନାଗରିକଙ୍କ କର୍ତ୍ତବ୍ୟ । ନିଜେ ସଚେତନ ହୋଇ ଉଚିତ୍ ସାଙ୍ଗ ଚୟନ କରିବାକୁ ପଡ଼ିବ । ସୁସ୍ଥ ଜୀବନଟିଏ ଜୀଇଁବା ଓ ଏକ ଉଚିତ୍ ଛାତ୍ର ଭାବେ ବଞ୍ଚି ନିଜକୁ ତଥା ନିଜ ସାଙ୍ଗସାଥିମାନଙ୍କୁ ନିଶାକବଳରୁ କିଭଳି ଦୂରେଇ ରହିବେ ଏବଂ ଶିକ୍ଷାନୁଷ୍ଠାନକୁ ନିଶାମୁକ୍ତ ପରିବେଶ ସୃଷ୍ଟି କରି ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଡ଼ିବା ଉଚିତ୍ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଶୃଙ୍ଖଳା ଓ ସୁଅଭ୍ୟାସକୁ ଆପଣେଇ ସମୃଦ୍ଧ ଭାରତ ପରିକଳ୍ପନାକୁ ସାକାର କରିବାକୁ ହେବ । ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର ଠାରେ ଶକ୍ତିଶ୍ରୀ ଓ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ଅନୁଷ୍ଠିତ ଏ ସଭାରେ ଏକ ନିଶା ବିହୀନ ସମାଜ ଗଠନରେ କିଭଳି ସକ୍ରିୟ ରହିବେ ସେଥିପାଇଁ ଶପଥ ପାଠ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କୌତୁକ ପନ୍ଦରଙ୍କ ସଭାପତିତ୍ୱରେ ଏ କାର୍ଯ୍ୟକ୍ରମରେ ପୁଇଁତଲା ପୋଲିସ୍ ଅଧିକାରୀ ଯୁଗଳ କିଶୋର ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଶକ୍ତିଶ୍ରୀ ସଂଯୋଜିକା ପ୍ରାଧ୍ୟାପିକା ବନ୍ଦନା ବାର୍, ଡ. ମଧୁସ୍ମିତା ମିଶ୍ର, ପ୍ରେମାନନ୍ଦ ରଣା, ମୋନାଲିସା କୁମ୍ଭାର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ଜାତୀୟ ସେବା ଯୋଜନା ସଂଯୋଜିକା ଡ. ରମଣୀ ନାଏକ ମଞ୍ଚ ପରିଚଳନା କରିଥିବାବେଳେ, ଅଧ୍ୟାପକ ଚନ୍ଦନ ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ ।