
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ତୁଷୁରା ପ୍ରାଥମିକ କୃଷି ସମବାୟ ସମିତି, ଅର୍ଥାତ୍ ପେକ୍ସର ପୂର୍ବତନ ସମ୍ପାଦକ ସନୋଜ କୁମାର ମିଶ୍ରଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ । ସରକାରୀ ଧାନ କ୍ରୟ ଅର୍ଥରେ ୪୨ ଲକ୍ଷ ୩୧ ହଜାର ୬୦୮ ଟଙ୍କାର ଅନିୟମିତତା ଅଭିଯୋଗରେ ଏହି ଗିରଫଦାରୀ ହୋଇଛି। ଭିଜିଲାନ୍ସର ସୂଚନା ଅନୁସାରେ, ଖରିଫ ଋତୁ ୨୦୧୪-୧୫ରେ ଚାଷୀଙ୍କଠାରୁ କ୍ରୟ ହୋଇଥିବା ବିପୁଳ ପରିମାଣର ଧାନ ଟ୍ୟାଗ୍ଡ ରାଇସ୍ ମିଲରଙ୍କୁ ପଠାଯାଇନଥିଲା । ଏହାର ହିସାବ ମଧ୍ୟ ଷ୍ଟକ୍ ରେକର୍ଡରେ ଠିକ୍ ଭାବେ ଦର୍ଶାଯାଇନଥିବା ତଦନ୍ତରୁ ଜଣାପଡ଼ିଛି। ଫଳରେ ସମିତିର ୪୨ ଲକ୍ଷ ୩୧ ହଜାର ୬୦୮ ଟଙ୍କା କ୍ଷତି ହୋଇଥିବା ଅଭିଯୋଗ ରହିଛି । ଏନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ପରେ ସନୋଜ ମିଶ୍ରଙ୍କୁ ଗିରଫ କରାଯାଇ ବଲାଙ୍ଗିର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି ।