jayashree

ଥିପାଖୋଲରେ ମର୍ମନ୍ତୁଦ ଦୁର୍ଘଟଣା : ପାଣିରେ ବୁଡ଼ି ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଧୀନସ୍ଥ ଥିପାଖୋଲ ପର୍ଯ୍ୟଟନସ୍ଥଳୀରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ବୁଲିବାକୁ ଆସିଥିବା ଜଣେ ଯୁବକ ପାଣିରେ ବୁଡ଼ି ନିଖୋଜ ହେବାର ପ୍ରାୟ ୧୮ ଘଣ୍ଟା ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ମୃତ ଯୁବକ ଜଣକ ଛତିଶଗଡ଼ ଅମଲିପଦର ଅଞ୍ଚଳର ୨୫ ବର୍ଷୀୟ ବସନ୍ତ କୁମାର ଧ୍ରୁବ ବୋଲି ଜଣାପଡ଼ିଛି । ଏହି ଦୁଃଖଦ ଘଟଣା ପରେ ତାଙ୍କ ସାଙ୍ଗସାଥୀ ଓ ପରିବାର ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ବସନ୍ତ କୁମାର ଧ୍ରୁବ ନିଜ ୬ ଜଣ ସାଙ୍ଗଙ୍କ ସହ ରବିବାର ଦିନ ଥିପାଖୋଲ ପର୍ଯ୍ୟଟନସ୍ଥଳୀକୁ ବୁଲିବା ପାଇଁ ଆସିଥିଲେ । ସମସ୍ତେ ମିଶି ପର୍ଯ୍ୟଟନସ୍ଥଳୀର ବିଭିନ୍ନ ସ୍ଥାନ ବୁଲିବା ସହ ଜଳାଶୟ ନିକଟକୁ ଯାଇଥିଲେ । ତେବେ ରବିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ସେମାନଙ୍କ ମଧ୍ୟରୁ ୩ ଜଣ ପାଣି ଭିତରକୁ ଯାଇଥିଲେ । ପାଣିର ସ୍ରୋତ ଓ ଗଭୀରତା ସମ୍ପର୍କରେ ସମ୍ଭବତଃ ଠିକ୍ ଅନୁମାନ ନକରି ପାଣି ଭିତରକୁ ଯିବା ପରେ ହଠାତ୍ ବିପଦ ଦେଖାଦେଇଥିଲା । ଏହି ସମୟରେ ଦୁଇଜଣ ଯୁବକ କୌଣସି ପ୍ରକାରେ ସୁରକ୍ଷିତ ଭାବେ ପାଣିରୁ ବାହାରି ଆସିଥିଲେ । ମାତ୍ର ବସନ୍ତ କୁମାର ପାଣିରୁ ବାହାରି ପାରିନଥିଲେ । ସେ ପାଣିରେ ନିଖୋଜ ହୋଇଯିବା ପରେ ସାଙ୍ଗମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା । ସାଙ୍ଗମାନେ ତୁରନ୍ତ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଜଣାଇବା ସହ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ସିନାପାଲି ପୋଲିସ ପ୍ରଶାସନ ଓ ଅଗ୍ନିଶମ ବିଭାଗର ଟିମ୍ ଘଟଣାସୁଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଠାବ କରିବା ପାଇଁ ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଜଳାଶୟରେ ପାଣିର ଗଭୀରତା ଓ ସ୍ରୋତ ଅଧିକ ଥିବାରୁ ଉଦ୍ଧାରକାରୀ ଦଳକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ରାତି ପର୍ଯ୍ୟନ୍ତ ଖୋଜାଖୋଜି ଚାଲିଥିଲେ ମଧ୍ୟ ବସନ୍ତଙ୍କ ସନ୍ଧାନ ମିଳିନଥିଲା । ପରେ ସୋମବାର ସକାଳୁ ପୁଣିଥରେ ଅଗ୍ନିଶମ ବିଭାଗ ଓ ସମ୍ପୃକ୍ତ ଟିମ୍ ପକ୍ଷରୁ ଜୋରଦାର ଖୋଜାଖୋଜି ଆରମ୍ଭ କରାଯାଇଥିଲା । ଦୀର୍ଘ ସମୟର ଅଭିଯାନ ପରେ ଶେଷରେ ସୋମବାର ଦିନ ପ୍ରାୟ ୧୨ଟା ସମୟରେ ବସନ୍ତଙ୍କ ମୃତଦେହ ଠାବ କରାଯାଇଥିଲା । ଉଦ୍ଧାରକାରୀ ଦଳ ମୃତଦେହକୁ ପାଣିରୁ ବାହାର କରିଥିଲେ । ତେବେ ଏହି ଘଟଣାଟି ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଶେଷ କରି ବର୍ଷାଦିନ ଜଳାଶୟରେ ପାଣି ବଢ଼ିବା ସହ ସ୍ରୋତ ତୀବ୍ର ହୋଇଥିବା ସମୟରେ ପର୍ଯ୍ୟଟକମାନେ ଅସାବଧାନତାରେ ପାଣି ଭିତରକୁ ପ୍ରବେଶ କଲେ ଜୀବନ ପ୍ରତି ବଡ଼ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥାଏ । ତେଣୁ ଥିପାଖୋଲ ଭଳି ପର୍ଯ୍ୟଟନସ୍ଥଳୀର ବିପଦଜନକ ସ୍ଥାନଗୁଡ଼ିକୁ ଚିହ୍ନଟ କରି ସେଠାରେ ସ୍ପଷ୍ଟ ଭାବେ ସତର୍କତାମୂଳକ ଫଳକ ଲଗାଇବା ସହ ପର୍ଯ୍ୟଟକଙ୍କ ଉପରେ ନଜର ରଖିବା ପାଇଁ ସୁରକ୍ଷାକର୍ମୀ ନିୟୋଜିତ କରିବା ଏବଂ ଜରୁରୀ ସମୟରେ ତୁରନ୍ତ ଉଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି । ସେହିପରି ପର୍ଯ୍ୟଟକମାନେ ମଧ୍ୟ ନିଜ ସୁରକ୍ଷା ପ୍ରତି ସଚେତନ ହେବା ଆବଶ୍ୟକ । ପାଣିର ଗଭୀରତା ଓ ସ୍ରୋତ ସମ୍ପର୍କରେ ନଜାଣି ଜଳାଶୟ ଭିତରକୁ ଯିବା, ବିପଦଜନକ ସ୍ଥାନରେ ଫଟୋ ଉଠାଇବା କିମ୍ବା ମଜାମସ୍ତି କରିବାରୁ ଦୂରେଇ ରହିବା ନିତାନ୍ତ ଆବଶ୍ୟକ । ଏହି ଘଟଣା ପରେ ପର୍ଯ୍ୟଟନସ୍ଥଳୀରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ସହ ଭବିଷ୍ୟତରେ ଯେପରି ଏଭଳି ଅଘଟଣର ପୁନରାବୃତ୍ତି ନହୁଏ ସେଥିପାଇଁ ଜିଲ୍ଲା ପ୍ରଶାସନ ଦୀର୍ଘମିଆଦୀ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.