
ବଲାଙ୍ଗିର,
ବଲାଙ୍ଗିର ମାଟି ନିଜକୁ ଗର୍ବ ମନେ କରୁଛି, କାହିଁକିନା, ସେହି ଅନନ୍ୟା ଝିଅ ପାୟଲ ନାଗ ବିଶ୍ୱ ପାରା – ତୀରନ୍ଦାଜ ସିରିଜ – ୨୦୨୬ରେ ଦୁଇଟି ସ୍ୱର୍ଣ୍ଣ ପଦକ ପାଇଁ ସାରା ଦେଶକୁ ଗୌରବ ଆଣି ପାରିଛି । ଏହି ଦିବ୍ୟାଙ୍ଗ ତୀରନ୍ଦାଜ ୧୮ ବର୍ଷ ତଳେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ, ବାନ୍ଦୁପଲା ଗ୍ରାମ ପଂଚାୟତର ଜମୁନାବାହାଲ ଗାଁ ମାଟିରେ ତାର ଜନ୍ମ । ପିତା ବିଜୟ ନାଗ ଓ ମାତା ଜନତା ନାଗ ପେଶାରେ ଶ୍ରମିକ ଓ ସେମାନଙ୍କର ଚାରିଜଣ ସନ୍ତାନ ଓ ପାୟଲ ହେଉଛି ଦ୍ୱିତୀୟ ଝିଅ । ଆଜି ସେହି ଝିଅ ହେଉଛି ବିଶ୍ୱ ପାରା ତୀରନ୍ଦାଜ ବିଜୟିନୀ । ପରିବାରର ଆର୍ଥିକ ଅବସ୍ଥା ଅତି ଶୋଚନୀୟ ଏବଂ ପିତା ଦାଦନ ଶ୍ରମିକ ଭାବରେ ରୋଜଗାର କରି ପରିବାର ପରିପୋଷଣ କରୁଥିଲେ । ସେ ସମୟରେ ପାୟଲ ୮ ବର୍ଷର ଝିଅ ଓ ତୃତୀୟ ଶ୍ରେଣୀରେ ଗାଁ ସ୍କୁଲରେ ପାଠ ପଢୁଥିଲା । ୨୦୧୫ ମସିହାରେ ପରିବାର ଦାଦନ ଖଟିବା ପାଇଁ ରାୟପୁର (ଛତିଶଗଡ) ରେ ଠିକାଦାର ଶିବ ସାହୁଙ୍କ ଅଧିନରେ ଦ୍ୱାରାକାଗେଟ, ଇମିଲିଡିହି ଠାରେ ଅନୁଷ୍ଠିତ ଇଟାଭାଟି କମ୍ପାନୀ ଅଧିନରେ ଶ୍ରମିକ ଭାବରେ କାମ କରୁଥିଲେ । ଝିଅ ମଧ୍ୟ ସ୍କୁଲର ପାଠ ଛାଡି ପରିବାର ସହିତ ରାୟପୁର ଆସି ସମସ୍ତଙ୍କ ସାଙ୍ଗରେ ରହୁଥିଲା । ୧୬.୦୪.୨୦୧୫ ତାରିଖ ଥିଲା ଏହି ପରିବାର ପାଇଁ ଏକ ଅଶୁଭ ଦିନ । ପାୟଲ ସେଠାରେ ରହୁଥିବା ଘରର ମହଲାରେ ନିଜ ଭାଇ ସହିତ ଖେଳୁଥିବା ସମୟରେ ହାଏ ଭୋଲଟେଜ (୧୧,୦୦୦ କେ.ଭି) ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା ଓ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାୟପୁର ଠାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲା ଓ ପରେ ଉନ୍ନତମାନର ଚିକିତ୍ସା ପାଇଁ ଡା. ବି.ଆର.ଆମ୍ବେଦକର ମେମୋରିଏଲ ହସ୍ପିଟାଲ ରାୟପୁରକୁ ସ୍ଥାନାନ୍ତର କରାଯାଇଥିଲା । ଏହି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାର ଜୀବନ ରକ୍ଷା ପାଇଁ ଉଭୟ ଗୋଡର ଆଣ୍ଠୁତଳକୁ ଏବଂ ଉଭୟ ହାତ (ଡାହାଣ ହାତର ବାହୁ ଠାରୁ ତଳକୁ ଓ ବାମ ହାତର କହୁଣି ତଳକୁ) ଅସ୍ତ୍ର ଉପଚାର କରାଯାଇ କ୍ଷତ ଅଂଗକୁ ଅପସର କରାଯାଇଥିଲା । ପରେ ପରେ ଉନ୍ନତମାନର ଚିକିତ୍ସା ପାଇଁ ଏ.ଆଇ.ଏମ୍.ଏସ୍ ରାୟପୁର ହସ୍ପିଟାଲରେ ଦାଖଲ କରାଯାଇଥିଲା । ତା.୦୮.୦୯.୨୦୧୫ ଦିନ ହସ୍ପିଟାଲରୁ ଅବସର ନେବା ପରେ ପରିବାର ବର୍ଗ ନିଜ ଗାଁ ମାଟିକୁ ଫେରି ଆସିଥିଲେ । ସେହି ସମୟରେ ଦୈନିକ ସମ୍ବାଦ ପତ୍ର ‘ପ୍ରମେୟ’ରେ ପାୟଲ ନାଗଙ୍କ ଜୀବନରେ ଘଟିଥିବା ଘଟଣା ପ୍ରକାଶିତ ହୋଇଥିଲା । ଏହା ପରେ ଜିଲ୍ଲା ପ୍ରଶାସନ ବଲାଙ୍ଗିର ତତତ୍ପରତା ପ୍ରକାଶ କରି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଅନୁଯାୟୀ ପରିବାର କଲ୍ୟାଣ ପାଇଁ ତଥା ଥଇଥାନ ପାଇଁ ନିୟମିତ ସାହାଯ୍ୟ ଯୋଗାଇ ଦିଆଯାଇଥିଲା । ସେ ସମୟର ଜିଲ୍ଲାପାଳ, ବଲାଙ୍ଗିର ଚଂଚଳ ରାଣାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ନିର୍ଦ୍ଦେଶରେ ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଉଦ୍ୟମରେ ପାୟଲକୁ ଓଲଟପୁର ଅଂଗ ରୋପଣ କେନ୍ଦ୍ର କଟକ ଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା ।
ଦେବାଶିଷ ମିଶ୍ର