jayashree

ପଦ୍ମପୁରରେ ଉପଖଣ୍ଡ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ

  • ୪୫ଟି ପ୍ଲାଟୁନ୍‌ର ମାର୍ଚ୍ଚ ପାଷ୍ଟ, ୧୨୦ରୁ ଊର୍ଦ୍ଧ୍ବ କୃତୀ ଛାତ୍ରଛାତ୍ରୀ ଓ ଅନୁଷ୍ଠାନ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପ୍ରଶାସନ ତରଫରୁ ସ୍ଥାନୀୟ ରାଜ ବୋଡ଼ାସମ୍ବର (ଆର୍‌.ବି.) ହାଇସ୍କୁଲ ଖେଳ ପଡ଼ିଆ ଠାରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି । ଏହି ଆନୁଷ୍ଠାନିକ ସମାରୋହରେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ସରୋଜିନୀ ପ୍ରସନ୍ କୁଲୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ପଦ୍ମପୁର ଉପଜିଲ୍ଲାପାଳ ହେମସାଗର ଭୋଇ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ସକାଳ ୯ଟାରେ ରାଷ୍ଟ୍ରଗୀତ (ବନ୍ଦେ ମାତରମ୍) ଓ ଜାତୀୟ ସଂଗୀତ ଗାନ ସହିତ ଉତ୍ସବର ଶୁଭାରମ୍ଭ ହୋଇଥିଲା । ଉକ୍ତ ଆନୁଷ୍ଠାନିକ ମାର୍ଚ୍ଚପାଷ୍ଟରେ ଆର୍‌.ବି. ହାଇସ୍କୁଲ ଓ ଅଞ୍ଚଳ କଲେଜ ପଦ୍ମପୁରର ଏନ୍.ସି.ସି. କ୍ୟାଡେଟ୍ ଏବଂ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସର୍ବମୋଟ ୪୫ ଗୋଟି ପ୍ଲାଟୁନ୍ ଅଂଶଗ୍ରହଣ କରି ମନୋଜ୍ଞ ପ୍ୟାରେଡ ପ୍ରଦର୍ଶନ କରିଥିଲେ । ସଭାରେ ମୁଖ୍ୟ ଅତିଥି ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ସ୍ମରଣ କରିବା ସହ ଅଞ୍ଚଳର ବିକାଶ ଓ ଯୁବସମାଜର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଓ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ୧୨୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ ୧ ଗୋଟି ସାମାଜିକ ଅନୁଷ୍ଠାନ (ସହଯୋଗ ଏନ୍‌ଜିଓ)କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ଶେଷରେ ମୁଖ୍ୟ ଅତିଥି ଓ ପ୍ରଶାସନିକ ଅଧିକାରୀବୃନ୍ଦ ଉପଖଣ୍ଡ କାରାଗାର ପରିଦର୍ଶନ କରି ଅନ୍ତେବାସୀଙ୍କୁ ବିସ୍କୁଟ ଓ ଫଳ, ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ଓ ବିସ୍କୁଟ ଏବଂ ବାଦିମାଲ କୁଷ୍ଠ କଲୋନୀଠାରେ ଅନ୍ତେବାସୀଙ୍କୁ ବସ୍ତ୍ର ଓ ବିସ୍କୁଟ ବଣ୍ଟନ କରିଥିଲେ । ଏହି ଦିବସବ୍ୟାପୀ ସମାରୋହରେ ଏସ୍‌.ଡି.ପି.ଓ. ପାଣ୍ଡବ ଶବର, ତହସିଲଦାର ମାନସ ପଣ୍ଡା, ଏନ୍.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ସନତ ପାଢ଼ୀ, ଆର୍‌.ବି. ହାଇସ୍କୁଲ ଓ ଅଞ୍ଚଳ କଲେଜର ଏନ୍.ସି.ସି. ଅଧିକାରୀବୃନ୍ଦଙ୍କ ସମେତ ଉପଖଣ୍ଡର ସମସ୍ତ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.