
ବଲାଙ୍ଗିର, (କେପିଏନ୍ଏସ୍) : ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗିରରେ ସେବା, ସମ୍ବେଦନା ଓ ମାନବିକତାର ଏକ ସୁନ୍ଦର ପ୍ରୟାସ ଦେଖିବାକୁ ମିଳିଛି । ସହଯୋଗ ଫାଉଣ୍ଡେସନ୍ ଓ ଲାୟନ୍ସ କ୍ଲବ୍ ମିଳିତ ଉଦ୍ୟମରେ ଶିଶୁ ମହିଳା ସଦନ ପରିସରରେ ‘ଖୁସିର ପଲ’ ନାମକ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସଂଗଠନର ସଦସ୍ୟମାନେ ଶିଶୁ ମହିଳା ସଦନର ଅନ୍ତେବାସୀମାନଙ୍କ ସହ କିଛି ସମୟ ବିତାଇ ସେମାନଙ୍କ ସହ ଖୁସି ବାଣ୍ଟିଥିଲେ । ଏହି ଅବସରରେ ଅନ୍ତେବାସୀମାନଙ୍କ ମଧ୍ୟରେ ଫଳ, କେକ୍, ବିସ୍କୁଟ୍ ଓ ଚକୋଲେଟ୍ ବଣ୍ଟନ କରାଯାଇଥିଲା। ସ୍ନେହ ଓ ଆତ୍ମୀୟତାର ଏହି ମୁହୂର୍ତ୍ତରେ ସଦନର ପରିବେଶ ଆନନ୍ଦମୟ ହୋଇଉଠିଥିଲା । ସଂଗଠନ ପକ୍ଷରୁ କୁହାଯାଇଛି ଯେ, ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ମୁହଁରେ ହସ ଫୁଟାଇବା ଏବଂ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତ ସହ ଯୋଡ଼ିବା ହେଉଛି ଏଭଳି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । “ଖୁସି ବାଣ୍ଟିଲେ ଖୁସି ବଢ଼େ”—ଏହି ବାର୍ତ୍ତାକୁ ନେଇ ଆୟୋଜିତ ଏହି ପ୍ରୟାସ ଉପସ୍ଥିତ ସମସ୍ତଙ୍କ ମନକୁ ଛୁଇଁଥିଲା । ସ୍ୱାଧୀନତା ଦିବସର ଉତ୍ସବକୁ କେବଳ ଆନନ୍ଦରେ ସୀମିତ ନରଖି ସେବା ଓ ମାନବିକତା ସହ ପାଳନ କରିବାର ଏହି ପ୍ରୟାସ ନିଶ୍ଚିତ ଭାବେ ଏକ ପ୍ରେରଣାଦାୟକ ପଦକ୍ଷେପ । ସମାଜରେ ପରସ୍ପର ପ୍ରତି ସ୍ନେହ, ସହଯୋଗ ଓ ଦାୟିତ୍ୱବୋଧ ବଢ଼ାଇବାରେ ଏଭଳି କାର୍ଯ୍ୟକ୍ରମ ଏକ ନୂଆ ଆଶା ସୃଷ୍ଟି କରୁଛି ।