
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଅଷ୍ଟମ ବାଟାଲିୟନ ପରିସରରେ ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ହାତପାଣ୍ଠିରୁ ମିଳିଥିବା ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୁରୁବାର ଉଦଘାଟିତ ହୋଇଯାଇଛି । ଅଷ୍ଟମ ବାଟାଲିୟନର ଦୁର୍ଗପତି ଶାରଦା ପ୍ରସାଦ ଦାସଙ୍କ ଉପସ୍ଥିତିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ଦୀପ୍ତିଶ ପଟ୍ଟନାୟକ (ରୁଇନା)ଙ୍କ କରକମଳରେ ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟିତ ହୋଇଛି । ଏହି ଅବସରରେ ଛତ୍ରପୁର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ଭାରପ୍ରାପ୍ତ ଅଧ୍ୟକ୍ଷ ଜି.ପାପା ରାଓ, ପୋଡାପଦର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଜାତା ଦାସ, ଅଗସ୍ତିନୂଆଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ଉର୍ମିଳା ଦାସ, ଅଷ୍ଟମ ବାଟାଲିୟନର ଉପ-ଦୁର୍ଗପତି ଯଶୋବନ୍ତ ସେଠୀ, ହାବିଲଦାର ଏବଂ ସିପାହୀ ସଙ୍ଘ ସଭାପତି ଯଶୋବନ୍ତ ସ୍ୱାଇଁ, ସମ୍ପାଦକ ଜଗନ୍ନାଥ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଦୀର୍ଘଦିନ ପରେ ସାଂସଦଙ୍କ ସହଯୋଗରେ ଅଷ୍ଟମ ବାଟାଲିୟନର ହାବିଲଦାର ଏବଂ ସିପାହୀ ସଂଘର ପ୍ରଚେଷ୍ଟାରେ ଏହା ସଫଳ ହୋଇପାରି ଥିବା ନେଇ ସବୁରି ମହଲରେ ଖୁସିର ଲହରୀ ଖେଳିଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସିପାହୀ ଶୁଭେନ୍ଦୁ ପଲେଇ, ପ୍ରଶାନ୍ତ ବେହେରାଙ୍କ ସମେତ ସମସ୍ତ ସିପାହୀ ଓ ହାବିଲଦାର ପରିଚାଳନାରେ ସହଯୋଗ କରିଥିଲେ ।