jayashree

ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ୍‌ ରକ୍ତ ସଂଗ୍ରହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରକ୍ତର କୌଣସି ବିକଳ୍ପ ନାହିଁ । ରକ୍ତଦାନ ମହତ ଦାନ । ରକ୍ତ ଦେଇ ଅନେକ ଲୋକଙ୍କ ଜୀବନ ରକ୍ଷା କରାଯାଇପାରୁଛି । ରକ୍ତଦାନ କଲେ ଶରୀରରେ ହିମୋଗ୍ଲୋବିନ କମିଯାଏ, ରକ୍ତ ଅଭାବ ଦେଖାଦିଏ ବୋଲି ଅନେକଙ୍କ ମଧ୍ୟରେ ଭୁଲ ଧାରଣା ରହିଛି । ବିଶେଷକରି ଅଧିକାଂଶ ମହିଳାଙ୍କ ମଧ୍ୟରେ ରକ୍ତଦାନକୁ ନେଇ ଭୁଲ ଧାରଣା ରହିଥିବା ଦେଖିବାକୁ ମିଳିଛି । ରକ୍ତଦାନ କଲେ ରକ୍ତ କିମ୍ବା ହିମୋଗ୍ଲୋବିନ ପରିମାଣ କମିଯାଇ ନ ଥାଏ । ୧୨୦ ଦିନ ମଧ୍ୟରେ ଶରୀରରେ ପୁଣି ନୂତନ ରକ୍ତ ସୃଷ୍ଟି ହୋଇଥାଏ । ରକ୍ତଦାନ କଲେ ଶରୀର ସୁସ୍ଥ ରହେ । ତେଣୁ ଜଣେ ବର୍ଷକୁ ଅତିକମ୍‌ରେ ୨ ଥର ରକ୍ତଦାନ କରିବାକୁ ବଲାଙ୍ଗିର ସାମ୍ବାଦିକ ଭବନଠାରେ ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଅବସରରେ ବଲାଙ୍ଗିର ‘ସମାଜ’ ପରିବାର ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ରକ୍ତଦାନ ଶିବିର ଆୟୋଜନ ପାଇଁ ‘ସମାଜ’ର ଉଦ୍ୟମକୁ ପ୍ରଶଂସା କରିବା ସହ ରକ୍ତଦାନ ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ରକ୍ତଦାନ ଶିବିର ଆୟୋଜନ ପାଇଁ ‘ସମାଜ’ ଓ ସହଯୋଗ କରୁଥିବା ସମସ୍ତ ସ୍ୱେଚ୍ଛାସେବୀ ଓ ଅନୁଷ୍ଠାନକୁ ମନ୍ତ୍ରୀ ଡ. ମହାଲିଙ୍ଗ ସାଧୁବାଦ ଜଣାଇଥିଲେ । ଦୈନିକ ଶତାୟୁ ‘ସମାଜ’ ଖବରକାଗଜ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଅବସରରେ ‘ସମାଜ’ ପକ୍ଷରୁ ଜୁଲାଇ ୧୪ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଅବସରରେ ବଲାଙ୍ଗିର ‘ସମାଜ’ ପକ୍ଷରୁ ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପୁଷ୍ପାଞ୍ଜଳି ମିଶ୍ର ଉଦ୍‌ଘାଟକ ଭାବେ ଯୋଗଦେଇ ରକ୍ତଦାନ ଶିବିର ଉଦ୍‌ଘାଟନ କରିଥିଲେ । ବଲାଙ୍ଗିର ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୁଣନିଧି ମଲ୍ଲିକ ସମ୍ମାନିତ ଅତିଥି, ବଲାଙ୍ଗିର ନାଗରିକ କମିଟି ସଭାପତି ତଥା ଶିକ୍ଷାବିତ ଡ. ଶ୍ରୀକର ମିଶ୍ର, ପ୍ରଫେସର ତରୁଣ କୁମାର ମିଶ୍ର ଓ ବଲାଙ୍ଗିର ସିଭିଲ ସୋସାଇଟି ସଂଯୋଜକ ମନୋରଞ୍ଜନ ସାହୁ ପ୍ରମୁଖ ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ବଲାଙ୍ଗିର ଜିଲ୍ଲା ପ୍ରତିନିଧି ବଳରାମ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ୫୨ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା । ବିଭିନ୍ନ କଲେଜ ଛାତ୍ରଛାତ୍ରୀ, ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଦସ୍ୟ ସହ ପୁଲିସ ଓ ସିଆର୍‌ପିଏଫ୍‌ ଜବାନ ଶିବିରରେ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ବଲାଙ୍ଗିର ରକ୍ତଭଣ୍ଡାର ଡାକ୍ତର ଅଶୋକ କୁମାର ମିଶ୍ର, କାଉନସେଲର୍‌ ଶେଖ୍‌ ଅସରଫ୍‌, ଜ୍ୟୋତିର୍ମୟୀ ନାଏକ, ପ୍ରେମାନନ୍ଦ କୁଅଁର, ସୁଶୀଲ ସୁନା, ସାଜନ ରଣା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନ ପ୍ରତିଷ୍ଠାତା ସଭାପତି ସୋମନାଥ ମିଶ୍ର, ସମାଜସେବୀ ସୁଧାଂଶୁ ଶେଖର ମିଶ୍ର, ବିକାଶ ସା, କ୍ରୀଡ଼ା ସଂଗଠକ ସୁମିତ ରଞ୍ଜନ ପୁରୋହିତ, ପ୍ରକୃତିବନ୍ଧୁ ଅସୀମ ଭୋଇ, ରଞ୍ଜିତ ମିଶ୍ର, ସାମ୍ବାଦିକ ରଞ୍ଜିତ ବେହେରା, ସାମ୍ବାଦିକ ଆଲୋକ ମିଶ୍ର ପ୍ରମୁଖ ଶିବିର ପରିଚାଳନା କରିଥିଲେ । ‘ସମାଜ’ ବଲାଙ୍ଗିର କାର୍ଯ୍ୟାଳୟ ବରିଷ୍ଠ ବିଜ୍ଞାପନ ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ, ବିଜ୍ଞାପନ ଅଧିକାରୀ ଦେବାଶିଷ ମିଶ୍ର, ପ୍ରସାରଣ ଅଧିକାରୀ କରନଜିତ ମହାନ୍ତି, ଅଫିସ ସହାୟକ ସରୋଜ ପଧାନ, ଛାତ୍ରନେତା ସୁମନ ନନ୍ଦ, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ମୁକେଶ ପଧାନ, କନ୍ଦର୍ପ ରଣା, ବୁଲୁ ମହାକୁର, ଘନଶ୍ୟାମ ପଶାୟତ, ଖଗେଶ୍ୱର ପଧାନ, ଆଶିଷ ସିଂ ଧରୁଆ, ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଉତ୍ତମ ନନ୍ଦ, ସାଗର ଚନ୍ଦନ, ସାମ୍ବାଦିକ ଭବନ କାର୍ଯ୍ୟାଳୟ ସହାୟକ କର୍ଣ୍ଣ ବାରିକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଜିଲ୍ଲା ଓକିଲ ସଙ୍ଘ ସଭାପତି ବାସୁଦେବ ରଥ ଓ ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଭାକର ମିଶ୍ର ଶିବିରରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ରକ୍ତଦାତାଙ୍କୁ ରକ୍ତଭଣ୍ଡାର ଓ ‘ସମାଜ’ ପକ୍ଷରୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.