jayashree

ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି

  • କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ସାଂସଦ ପ୍ରଦୀପ ପୁରୋହିତଙ୍କ ଦୃଢ଼ ଦାବି

ବରଗଡ, (ନିରୋଜ କୁମାର ପାଣୀ) : ଚିର ଅବହେଳିତ ଓ ମରୁଡ଼ି ପ୍ରପୀଡ଼ିତ ବରଗଡ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଉପଖଣ୍ଡର ସାମଗ୍ରିକ ବିକାଶ ପାଇଁ ସ୍ୱତନ୍ତ୍ର ‘ବିକାଶ ପ୍ୟାକେଜ୍’ ଘୋଷଣା କରିବାକୁ ଜାତୀୟ ସ୍ତରରେ ଦାବି ଉଠିଛି । ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରି ଏକ ବିସ୍ତୃତ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଲିଖିତ ପତ୍ରରେ ପଦ୍ମପୁର ଉପଖଣ୍ଡ ଅଧୀନରେ ଥିବା ପାଇକମାଲ, ପଦ୍ମପୁର, ଝାରବନ୍ଧ, ସୋହେଲା, ବିଜେପୁର, ଗାଇସିଲେଟ ସମେତ ୬ଟି ବ୍ଲକକୁ ସାମିଲ କରି କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜକୁ ନୀତିଗତ ଅନୁମୋଦନ ଦେବା ପାଇଁ ସାଂସଦ ଅନୁରୋଧ କରିଛନ୍ତି । ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ, ପଦ୍ମପୁର ଉପଖଣ୍ଡ ପଶ୍ଚିମ ଓଡ଼ିଶାର ଅନ୍ୟତମ ମରୁଡ଼ିପ୍ରବଣ ଓ ଆର୍ଥିକ ଭାବେ ପଛୁଆ ଅଞ୍ଚଳ । ଏଠାରେ ବିପୁଳ କୃଷି ସମ୍ଭାବନା ଓ ପରିଶ୍ରମୀ ଚାଷୀ ସମାଜ ଥିଲେ ମଧ୍ୟ ଅନିୟମିତ ବର୍ଷା, ବାରମ୍ବାର ମରୁଡ଼ି, ଜଳସେଚନର ଅଭାବ, ପାନୀୟଜଳ ସଙ୍କଟ, ଶିଳ୍ପର ଅଭାବ ଓ ସୀମିତ ରୋଜଗାର ସୁଯୋଗ ଯୋଗୁଁ ଅଞ୍ଚଳବାସୀ ଦୀର୍ଘଦିନ ଧରି ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି । ପଦ୍ମପୁର ଅଞ୍ଚଳର କୃଷି ପ୍ରାୟତଃ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ । ବର୍ଷାର ଅନିୟମିତତା ଯୋଗୁଁ ଚାଷୀମାନେ ପ୍ରାୟ ମରୁଡ଼ି ଓ ଫସଲ ନଷ୍ଟର ସମ୍ମୁଖୀନ ହେଉଛନ୍ତି । ତେଣୁ ବ୍ୟାପକ ଜଳସେଚନ ବ୍ୟବସ୍ଥାର ସମ୍ପ୍ରସାରଣକୁ ସାଂସଦ ଗୁରୁତ୍ୱ ଦେଇଛନ୍ତି । ଏଥିସହିତ ଗ୍ରୀଷ୍ମ ଋତୁରେ ଅନେକ ଗାଁରେ ପାନୀୟଜଳ ଓ ଜଳସେଚନର ଘୋର ଅଭାବ ଦେଖାଦେଉଥିବା ପତ୍ରରେ ଉଲ୍ଲେଖ କରାଯାଇଛି । ପୋଖରୀ, ନାଳ ଓ ପାରମ୍ପରିକ ଜଳଉତ୍ସ ଶୁଖିଯିବା ସହ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଉଛି । ଏହାର ସ୍ଥାୟୀ ସମାଧାନ ପାଇଁ ବର୍ଷାଜଳ ସଂରକ୍ଷଣ, ଭୂତଳ ଜଳ ପୁନଃଭରଣ ଓ ଜଳସେଚନ ପ୍ରକଳ୍ପ ଉପରେ ବିଶେଷ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆହୁରି ସେ ଉଲ୍ଲେଖ କରିଛନ୍ତି ଯେ, ଅଞ୍ଚଳର ଅର୍ଥନୀତି ମୁଖ୍ୟତଃ କୃଷି ଓ କୃଷି ଶ୍ରମିକଙ୍କ ଉପରେ ନିର୍ଭରଶୀଳ । ମରୁଡ଼ି ଯୋଗୁଁ ଫସଲ ନଷ୍ଟ ହେଲେ ପରିବାରଗୁଡ଼ିକ ଋଣଗ୍ରସ୍ତ ହେବା ସହ ଅନେକ ଲୋକ ଜୀବିକା ସନ୍ଧାନରେ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଜଳସେଚନ ସୁଦୃଢ଼ କରିବା ସହ କୃଷିଭିତ୍ତିକ ଅନ୍ୟାନ୍ୟ କାର୍ଯ୍ୟ, ଉଦ୍ୟାନ କୃଷି, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟଚାଷ ଓ ଅନ୍ୟାନ୍ୟ ସହଯୋଗୀ କ୍ଷେତ୍ରକୁ ପ୍ରୋତ୍ସାହନ ଦେବାକୁ ଦାବି ହୋଇଛି । ସେହିପରି ପଦ୍ମପୁର ଉପଖଣ୍ଡରେ ଶିଳ୍ପ ବିକାଶ ଅତ୍ୟନ୍ତ ସୀମିତ ଥିବାରୁ ଯୁବବର୍ଗଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ କମ୍ ରହିଛି । ଆଗ୍ରୋ-ପ୍ରୋସେସିଂ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍, ଏମ୍‌ଏସ୍‌ଏମ୍‌ଇ କ୍ଲଷ୍ଟର ଓ ଶିଳ୍ପ ଭିତ୍ତିଭୂମି ପ୍ରତିଷ୍ଠା ହେଲେ ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ ରୋଜଗାର ସହ କୃଷିଜାତ ଉତ୍ପାଦର ମୂଲ୍ୟବୃଦ୍ଧି ସମ୍ଭବ ହେବ ବୋଲି ପତ୍ରରେ ଉଲ୍ଲେଖ ରହିଛି । ଛତିଶଗଡ଼ ସୀମା ସଂଲଗ୍ନ ଉକ୍ତ ସୀମାନ୍ତ ଅଞ୍ଚଳରେ ଭଲ ସଡ଼କ ଓ ଯୋଗାଯୋଗ ବ୍ୟବସ୍ଥା, ସାଧାରଣ ସେବାର ବିକାଶ ଓ ନୂତନ ଆର୍ଥିକ ସୁଯୋଗ ସୃଷ୍ଟି ମାଧ୍ୟମରେ ସନ୍ତୁଳିତ ବିକାଶ ସମ୍ଭବ ବୋଲି ସେ ମତ ଦେଇଛନ୍ତି । ତେଣୁ ସାଂସଦ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ପଦ୍ମପୁର ଉପଖଣ୍ଡ ପାଇଁ ନୀତିଗତ ଅନୁମୋଦନ ପ୍ରଦାନ, ଆଗାମୀ କେନ୍ଦ୍ର ବଜେଟ୍ କିମ୍ବା ଅତିରିକ୍ତ ଅନୁଦାନ ଦାବି ମାଧ୍ୟମରେ ଆବଶ୍ୟକ ବଜେଟ୍ ବ୍ୟବସ୍ଥା କରିବା ଏବଂ ବରଗଡ଼ ଜିଲ୍ଲା ପ୍ରଶାସନ ମାଧ୍ୟମରେ ବିକାଶ ପ୍ରସ୍ତାବ ଓ ଆର୍ଥିକ ଆକଳନ ସହ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ବିଚାର ପାଇଁ ପଠାଇବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି । ଏହି ପ୍ୟାକେଜ୍ କାର୍ଯ୍ୟକାରୀ ହେଲେ ପଦ୍ମପୁର ଉପଖଣ୍ଡର ସାମଗ୍ରିକ ସାମାଜିକ-ଆର୍ଥିକ ଉନ୍ନତି ତ୍ୱରାନ୍ୱିତ ହେବା ସହିତ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବ ବୋଲି ସାଂସଦ ଶ୍ରୀ ପୁରୋହିତ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.