
ବଲାଙ୍ଗିର, (କେପିଏନ୍ଏସ୍) : ଦଇବ ସାଜିଛି ଦାଉ । ଗୋଟିଏ ପଟେ ୧୨ ବର୍ଷର ପୁଅ କ୍ୟାନସରରେ ପୀଡ଼ିତ ହୋଇ ଜୀବନ ସହ ସଂଘର୍ଷ କରୁଛି, ଆଉ ଅନ୍ୟପଟେ ପୁଅର ଚିକିତ୍ସାରେ ସର୍ବସ୍ୱ ହରାଇ ଅସହାୟ ହୋଇପଡ଼ିଛନ୍ତି ବାପା । ଏବେ ପୁଅର ଜୀବନ ବଞ୍ଚାଇବା ପାଇଁ ଲୋଡ଼ିଛନ୍ତି ସହାୟତା । ବଲାଙ୍ଗିର ଲୋଇସିଂହା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁସମେଲ ଗାଁର ଭୁବନ ପୁଟେଲ । ତାଙ୍କ ୧୨ ବର୍ଷର ପୁଅ ବୋନ୍ କ୍ୟାନସରରେ ପୀଡ଼ିତ । ଦୀର୍ଘଦିନ ଧରି ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ପରେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ହୋଇନାହିଁ । ପୁଅର ଚିକିତ୍ସା ପାଇଁ ଭୁବନ ନିଜର ଯାହା କିଛି ସଞ୍ଚୟ ଥିଲା, ସବୁ ଖର୍ଚ୍ଚ କରିସାରିଛନ୍ତି । ନିୟମିତ ହସ୍ପିଟାଲ ଯିବା ଭିତରେ ଘରର ଅବସ୍ଥା ମଧ୍ୟ ଦୟନୀୟ ହୋଇପଡ଼ିଛି । ଭଙ୍ଗା ଘର ପରେ ଏବେ କୁଡ଼ିଆ ଘରେ ଦିନ କାଟୁଛି ପରିବାର । ଖବର ପ୍ରସାରଣ ପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ କଟକ ନେଇ ଚିକିତ୍ସା ପାଇଁ ସହଯୋଗ କରାଯାଇଥିଲା । ତେବେ କଟକରେ ଚିକିତ୍ସା ସମ୍ଭବ ନହେବାରୁ ପୁଅକୁ ରାୟପୁରର ଏକ ହସ୍ପିଟାଲକୁ ନିଆଯାଇଛି । ସେଠାରେ ଚିକିତ୍ସା ପରେ ଡାକ୍ତର ଗୋଟିଏ ଗୋଡ଼ କାଟିବାକୁ ପରାମର୍ଶ ଦେଇଥିବା କହିଛନ୍ତି ଭୁବନ । ସ୍ୱାସ୍ଥ୍ୟ କାର୍ଡରୁ ମଧ୍ୟ ବହୁ ଅର୍ଥ ଖର୍ଚ୍ଚ ହୋଇସାରିଛି । ଏବେ ଅପରେସନ୍ ଓ ପରବର୍ତ୍ତୀ ଚିକିତ୍ସା ପାଇଁ ପ୍ରାୟ ୫ରୁ ୬ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ସେ କହିଛନ୍ତି । କୋହଭରା କଣ୍ଠରେ ପୁଅର ଜୀବନ ବଞ୍ଚାଇବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସମାଜର ସହୃଦୟ ବ୍ୟକ୍ତିଙ୍କୁ ସହାୟତାର ନିବେଦନ କରିଛନ୍ତି ଭୁବନ ।