
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବର୍ତ୍ତମାନ ଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଥିବା ସମୟରେ ସୋନପୁର ଠାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆଜି ସୁବର୍ଣ୍ଣପୁର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ପରିସରରେ ସମିତି ସଭାପତି ପ୍ରକାଶ ଚନ୍ଦ୍ର ବେବର୍ତ୍ତାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମିତିର ଉପଦେଷ୍ଟା ଜ୍ୟୋତି ରଞ୍ଜନ ବହିଦାର, ସମ୍ପାଦକ ଦେବ କିଶୋର ଦାନୀ, କୋଷାଧ୍ୟକ୍ଷ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହି ଭାରତ ବର୍ଷରେ ଚାଲିଥିବା ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ଏବେ ସାଧାରଣ ବର୍ଗ ଲୋକ ନିଜ ଦକ୍ଷତା ଥାଇ ମଧ୍ୟ ପାଠ ପଢ଼ିବା, ଚାକିରୀ, ପଦୋନ୍ନତି, ସରକାରୀ ସାହାଯ୍ୟ ସହିତ ଅନେକ କ୍ଷେତ୍ରରେ ବଞ୍ଚିତ ହେଉଥିବା ମତବ୍ୟକ୍ତ କରିଥିଲେ । ଏହା ସହିତ ଆଇନଜୀବୀ ତାପସ ମହାନ୍ତି, ଯୁବ ସଂଗଠକ ନିଶାନ୍ତ କୁମାର ମହାନ୍ତି, ଅବକାଶ ବିଦ୍ୟାଧର, ପ୍ରଭାତ କିଶୋର ଦାନୀ ଓ ବରିଷ୍ଠ ସଭ୍ୟ ହରି ଶଙ୍କର ପଟ୍ଟନାୟକ, ପ୍ରଦୀପ ବିଦ୍ୟାଧର, ଅମୂଲ୍ୟ ବିଦ୍ୟାଧର ପ୍ରମୁଖ ଯୋଗ ଦେଇ ଏହି ସଂରକ୍ଷଣ ବ୍ୟବସ୍ଥା ହଟାଓ ଅଭିଯାନକୁ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅଭିଯାନରେ ପ୍ରଥମେ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାର କରଣ ସମାଜକୁ ସାମିଲ କରାଯାଇ ଆଗାମୀ ଦିନରେ ଏହି ଅଭିଯାନକୁ ବ୍ୟାପକ କରାଯିବାକୁ ବୈଠକରେ ସ୍ଥିର କରାଯାଇଥିବା ସୂଚନା ମିଳିଛି । ଏହି ଅଭିଯାନକୁ କରଣ ସମାଜର ଅନେକ ସଭ୍ୟ ସ୍ୱାଗତ କରିଥିବା ବେଳେ ଶେଷରେ ସମାଜର ବରିଷ୍ଠ ସଭ୍ୟ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।