jayashree

‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ ଜନସହଭାଗିତାରେ ପାଳନ ପାଇଁ ପ୍ରସ୍ତୁତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗିର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ ଜନସହଭାଗିତାରେ ପାଳନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ନେଇ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ନିଷ୍ପତ୍ତି ଅନୁଯାୟୀ, ଅଗଷ୍ଟ ୧୧ରେ ସକାଳ ୧୦ଟାରେ ସର୍କିଟ୍ ହାଉସ୍‌ରୁ ତ୍ରିରଙ୍ଗା ମାର୍ଚ୍ଚ ବାହାରି ସରକାରୀ ମହିଳା ମହାବିଦ୍ୟାଳୟରେ ପହଞ୍ଚିବ। ସେଠାରେ ତ୍ରିରଙ୍ଗା କନସର୍ଟ, ଦେଶାତ୍ମବୋଧକ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ଅଗଷ୍ଟ ୧୩ରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନିକଟସ୍ଥ କଲ୍ୟାଣ ମଣ୍ଡପ ପରିସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଛାତ୍ରୀଙ୍କ ଦ୍ୱାରା ତ୍ରିରଙ୍ଗା ଥିମ୍‌ରେ ରଙ୍ଗୋଲି ପ୍ରଦର୍ଶନୀ ହେବ । ଅଗଷ୍ଟ ୧୪ରେ ଜିଲ୍ଲା ସଂସ୍କୃତି ଭବନରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ ହେବ । ଏହି ଅବସରରେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା ଓ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ । ଜିଲ୍ଲାର ବିଭିନ୍ନ ବ୍ଲକ, ଗ୍ରାମ ପଞ୍ଚାୟତ ଓ ପୌରାଞ୍ଚଳରେ ମଧ୍ୟ ଅଭିଯାନକୁ ସୂଚାରୁ ଭାବେ ପାଳନ ପାଇଁ ବିଭାଗଗୁଡ଼ିକୁ ଦାୟିତ୍ୱ ଦିଆଯାଇଛି । ପ୍ରମୁଖ ସରକାରୀ କୋଠା, ଡାକ୍ତରଖାନା, ଛକ, ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଓ ପର୍ଯ୍ୟଟନସ୍ଥଳୀକୁ ତ୍ରିରଙ୍ଗା ଆଲୋକମାଳା ଓ ତୋରଣରେ ସଜାଯିବ । କାର୍ଯ୍ୟକ୍ରମଗୁଡ଼ିକରେ ଶାନ୍ତିଶୃଙ୍ଖଳା, ଟ୍ରାଫିକ୍ ନିୟନ୍ତ୍ରଣ, ଅଗ୍ନି ନିରାପତ୍ତା, ଆମ୍ବୁଲାନ୍ସ ଓ ବିଦ୍ୟୁତ୍ ଯୋଗାଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ହରି ଓମ୍‌ ଶମ୍ଭୁ ନାରାୟଣ ମିଶ୍ର, କ୍ରୀଡାବାସ ଅଧିକ୍ଷକ ପରାସର ବାଗ, ପୌରପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝି ସମେତ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ବିଭାଗୀୟ ଅଧିକାରୀ ଓ ସମାଜସେବୀ ବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.