
ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର : ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା
- “ଆନ୍ତଃଜାତି ବିବାହ ପାଇଁ ଜୀବନସାରା ପର ହୋଇ ରହିଗଲେ ପୁଅ-ବୋହୂ । ମୃତ୍ୟୁ ପରେ ବି ତରଳିଲାନି ଆପଣା ଲୋକଙ୍କ ମନ, ଶେଷରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ କଲା ସମ୍ମାନର ସହ ଶେଷକୃତ୍ୟ” ।
ବଲାଙ୍ଗିର, (କେପିଏନ୍ଏସ୍) : ଜନ୍ମରୁ ସେମାନେ କଥା କହିପାରନ୍ତି ନାହିଁ । ନିଜର ଦୁଃଖ-ସୁଖ, ଭଲପାଇବାକୁ ଅଭିବ୍ୟକ୍ତ କରିବା ପାଇଁ ସେମାନଙ୍କ ପାଖରେ ଶବ୍ଦ ବି ନଥିଲା, ବାସ୍ ଥିଲା ଦୁଇଟି ମନର ଅନାବିଳ ଭଲପାଇବା । ହେଲେ ସମାଜର ନିଷ୍ଠୁର ଜାତିପ୍ରଥା ଓ ପରିବାରର ସଂକୀର୍ଣ୍ଣତା ଆଗରେ ସେମାନଙ୍କ ଶାନ୍ତ ବିଶ୍ୱ ଆଜି ପୁଣି ଥରେ ହାର୍ ମାନିଛି । ଜୀବିତ ଅବସ୍ଥାରେ ଯେଉଁ ପରିବାର ତେଜ୍ୟ କରିଦେଇଥିଲା, ମୃତ୍ୟୁ ପରେ ବି ସେହି ନିଜ ଲୋକମାନେ ଟିକିଏ ଦୟା ଦେଖାଇଲେ ନାହିଁ । ଶେଷରେ ଅସହାୟ ସ୍ତ୍ରୀ ଓ ଶାଶୁଙ୍କ ଆଖିର ଲୁହ ପୋଛି ମାନବିକତାର ପରିଚୟ ଦେଇଥିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ବଲାଙ୍ଗିରସ୍ଥିତ ସାଲେପାଲିର ୪୧ ବର୍ଷୀୟ ମନୋଜ ବଗର୍ତ୍ତୀ ଜନ୍ମରୁ ମୂକ ଥିଲେ । ଆଜିକୁ ୮ ବର୍ଷ ତଳେ ସେ ବଲାଙ୍ଗିର ସହର ଟିକ୍ରାପଡାର ମଧୁମିତା ସାହୁଙ୍କୁ ପ୍ରେମ ବିବାହ କରିଥିଲେ । ମଧୁମିତା ମଧ୍ୟ ଜନ୍ମରୁ କଥା କହିପାରନ୍ତି ନାହିଁ । ଦୁଇ ଅସହାୟ ହୃଦୟ ଏକାଠି ହୋଇ ସଂସାର ଗଢ଼ିବାକୁ ସ୍ୱପ୍ନ ଦେଖିଥିଲେ ସତ, ହେଲେ ସେମାନଙ୍କର ଆନ୍ତଃଜାତି ବିବାହକୁ ମନୋଜଙ୍କ ପରିବାର ଗ୍ରହଣ କରିନଥିଲେ । ସମ୍ପର୍କର ଏହି କଠୋରତା ଯୋଗୁଁ ବିବାହ ପରଠାରୁ ମନୋଜ ନିଜ ଘର ଛାଡ଼ି ଟିକ୍ରାପଡା ସ୍ଥିତ ଶ୍ୱଶୁର ଘରେ ରହିଆସୁଥିଲେ । ଗତ କିଛିଦିନ ହେବ ଶାରୀରିକ ଅସୁସ୍ଥତା ଯୋଗୁଁ ମନୋଜଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍ ୫ଟାରେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ୱାମୀଙ୍କ ଆକସ୍ମିକ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗିପଡ଼ିଥିବା ମଧୁମିତା ତୁରନ୍ତ ମନୋଜଙ୍କ ପରିବାରକୁ ଖବର ଦେଇଥିଲେ । ଆଶା ଥିଲା ମୃତ୍ୟୁ ହୁଏତ ଆପଣା ଲୋକଙ୍କ ହୃଦୟକୁ ତରଳାଇ ଦେବ । କିନ୍ତୁ ସମାଜର ନିଷ୍ଠୁରତା ସୀମା ପାର୍ କରିଥିଲା । ପରିବାର ଲୋକ ସ୍ପଷ୍ଟ ଭାବେ ମନା କରିଦେଇଥିଲେ ଯେ, ସେମାନେ ନା ମରଶରୀର ଦେଖିବେ, ନା ଅନ୍ତିମ ସଂସ୍କାର କରିବେ । ଏହିଭଳି ମାନସିକ ଯନ୍ତ୍ରଣା ଓ ପରିବାରର ଅସହଯୋଗ ଭିତରେ ମଧୁମିତା ଓ ତାଙ୍କ ମାଁ ମନୋଜଙ୍କ ଶବକୁ ଟିକ୍ରାପଡାସ୍ଥିତ ଘରକୁ ଆଣିଥିଲେ । ଘର ଭିତରେ ମୃତଶରୀର ପଡ଼ିରହିଥିବା ବେଳେ ଦୁଇ ଅସହାୟ ମହିଳା ଶବ ପାଖରେ ବସି କାନ୍ଦି କାନ୍ଦି ନିଜର ଦୁଃଖ ନିଜେ ପିଉଥିଲେ । ସେମାନଙ୍କ ପାଖରେ ନା ଥିଲା କୋକେଇ ବୋହିବାକୁ କାନ୍ଧ, ନା ଥିଲା ଅନ୍ତିମ ସଂସ୍କାର ପାଇଁ ଲୋକବଳ । ଏହି ଦୁଃଖଦ ଖବର ପାଇବା କ୍ଷଣି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ତୁରନ୍ତ ଟିକ୍ରାପଡା ବାସଭବନରେ ପହଞ୍ଚିଥିଲେ । ଅସହାୟ ପରିବାରକୁ ସାନ୍ତନା ଦେବା ସହ ସମସ୍ତ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । ଏହାପରେ ସଂଗଠନ ପକ୍ଷରୁ ସ୍ୱର୍ଗ ରଥରେ ମନୋଜଙ୍କ ମରଶରୀରକୁ ବିଭୂତିପଡା ସ୍ଥିତ ଶ୍ମଶାନଘାଟକୁ ନିଆଯାଇଥିଲା । ସେଠାରେ ସମ୍ମାନର ସହ ତାଙ୍କର ଶେଷକୃତ୍ୟ ସମ୍ପାଦନ କରାଯାଇଥିଲା । ଏହି ମାନବୀୟ କାର୍ଯ୍ୟରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଗୋବିନ୍ଦ ଚନ୍ଦ୍ର ଶତପଥୀ, ଉତ୍ତମ ନନ୍ଦ, ବବିତା ପୁଟେଲ୍, ପ୍ରକାଶ ସାହୁ, ସାଗର ଚନ୍ଦନ ଓ ସରୋଜ ଜାଲ ପ୍ରମୁଖ ଉପସ୍ଥିତ ରହି ଶେଷକୃତ୍ୟର ସମସ୍ତ ଦାୟିତ୍ୱ ତୁଲାଇଥିଲେ ।