jayashree

ନରେନ୍ଦ୍ର ମୋଦୀଜୀଙ୍କ ଆହ୍ୱାନ କ୍ରମେ ଏକ ବିଶାଳ ‘ତ୍ରିରଙ୍ଗା ରାଲି’ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶପ୍ରେମ, ଜାତୀୟ ଏକତା ଓ ଅଖଣ୍ଡତାର ଭାବନାକୁ ଅଧିକ ସୁଦୃଢ଼ କରିବା ସହ ପ୍ରତ୍ୟେକ ନାଗରିକଙ୍କ ମନରେ ଜାତୀୟ ପତାକା ପ୍ରତି ସମ୍ମାନ ଓ ଗର୍ବର ଭାବନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ତଥା ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଆହ୍ୱାନ କ୍ରମେ ଆଜି ବଲାଙ୍ଗିର ଜିଲ୍ଲାର ପୁଇଁତଲା ଓ ଆଗଲପୁର ବ୍ଲକ ଠାରେ ଏକ ବିଶାଳ ‘ତ୍ରିରଙ୍ଗା ରାଲି’ ଆୟୋଜିତ ହୋଇଯାଇଛି । ଏହି ଭବ୍ୟ କାର୍ୟ୍ୟକ୍ରମରେ ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର କ୍ୟାବିନେଟ ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଆଟଗାଁ ସ୍ଥିତ ମହାନ ସ୍ଵାଧୀନତା ସଂଗ୍ରାମୀ ଧରମ ସିଂ ମାଝି ମନ୍ଧତାଙ୍କ ଜନ୍ମ ପୀଠରୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଏହି ପରିକ୍ରମାର ଆରମ୍ଭ କରାଯାଇଥିଲା । ଏହି ସ୍ମରଣୀୟ ରାଲିଟି ପୁଇଁତଲା ବ୍ଲକର ଆଟଗାଁରୁ ବାହାରି ମହାଦେବପାଲି ଶିବ ମନ୍ଦିର ଛକ, ଦଶପୁର ହାଟପଦା, ତେଣ୍ଡିପାଲି, ଛତାପିପଲ୍‌, କୁରେଭନା, ମେହେରମୁଣ୍ଡା, ରଣ୍ଡା, ସାତମାଇଲ, ଅଙ୍କରିଆପଦର ଓ ଜାମଗାଁ ଦେଇ ଆଗେଇଥିଲା । ପରବର୍ତ୍ତୀ ସମୟରେ ଆଗଲପୁରରୁ ଆରମ୍ଭ ହୋଇ ରୋଥ, ଉପରବାହାଲ, ଡୁଡୁକା, ସାଲେଭଟା, କୁଟାସିଂହା ଦେଇ ରୁଗୁଡ଼ିଖାଲ ଛକ ଠାରେ ଉଦ୍‌ଯାପିତ ହୋଇଥିଲା । ସମଗ୍ର ପରିକ୍ରମା ପଥରେ ସ୍ଥାନୀୟ ଜନସାଧାରଣ, ଯୁବଶକ୍ତି, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, ସାମାଜିକ ସଂଗଠନର ପ୍ରତିନିଧି ଏବଂ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ହାତରେ ତ୍ରିରଙ୍ଗା ପତାକା ଧରି ଅତ୍ୟନ୍ତ ଉତ୍ସାହ ଓ ସ୍ୱତଃସ୍ଫୂର୍ତ୍ତ ଭାବେ ଅଂଶଗ୍ରହଣ କରିଥିଲେ । ରାଲି ସାରା ଜାତୀୟ ଏକତା ଓ ଦେଶପ୍ରେମର ସ୍ଲୋଗାନରେ ଗଗନ ପବନ ମୁଖରିତ ହୋଇଉଠିଥିଲା । ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ପ୍ରକାଶ କରିଥିଲେ ଯେ, ଅଗଷ୍ଟ ୦୯ ରୁ ୧୭ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ‘ହର ଘର ତିରଙ୍ଗା’ କେବଳ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ଭାରତୀୟ ଆତ୍ମା, ଦେଶପ୍ରେମ, ଜାତୀୟ ଏକତା ଓ ଦେଶର ଗୌରବ ପ୍ରତି ଆମ ସମସ୍ତଙ୍କ ଦାୟିତ୍ୱର ପ୍ରତୀକ । ଏହି ଅଭିଯାନକୁ ଏକ ବ୍ୟାପକ ଜନଆନ୍ଦୋଳନର ରୂପ ଦେବା ସହ ପ୍ରତ୍ୟେକ ଘରେ ତିରଙ୍ଗାର ଗର୍ବ ଓ ସମ୍ମାନ ପହଞ୍ଚାଇବା ପାଇଁ ସମାଜର ପ୍ରତ୍ୟେକ ବର୍ଗର ସକ୍ରିୟ ସହଯୋଗ ଆବଶ୍ୟକ । ଏହି ଅବସରରେ ମନ୍ତ୍ରୀ ବଲାଙ୍ଗିର ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି, ଯୁବସମାଜ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସର୍ବସାଧାରଣଙ୍କୁ ମିଳିମିଶି ଏହି ମହାନ ଅଭିଯାନରେ ସାମିଲ ହେବାକୁ ଆନ୍ତରିକ ନିବେଦନ କରିଛନ୍ତି ।

Leave A Reply

Your email address will not be published.