jayashree

ସୁବର୍ଣ୍ଣପୁର ଗସ୍ତରେ ଏସଆଇଆର୍ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ବି. ପରମେଶ୍ୱରନ୍

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଏସଆଇଆର୍- ୨୦୨୬ର ପୋଷ୍ଟ ଡ୍ରାଫ୍ଟ ରୋଲ୍ ପ୍ରକାଶନ କାର୍ଯ୍ୟର ସମୀକ୍ଷା ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ କାର୍ଯ୍ୟକ୍ରମ ପାଇଁ ସ୍ଵତନ୍ତ୍ର ଭାବେ ନିଯୁକ୍ତ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ଓଡ଼ିଶା ସରକାରଙ୍କ ଏସ୍‌ଟି ଓ ଏସ୍‌ସି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଏବଂ ନିର୍ବାଚନ ପର୍ଯ୍ୟବେକ୍ଷକ ବି. ପରମେଶ୍ୱରନ୍, ଆଇଏଏସ୍. ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଏସଆଇଆର୍ -୨୦୨୬ ଅନ୍ତର୍ଗତ ଚିଠା ଭୋଟର ତାଲିକା ପ୍ରକାଶନ ପରବର୍ତ୍ତୀ ସମ୍ପର୍କିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଡ଼ଃ ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ୬୫-ସୋନପୁର ବିଧାନସଭା କ୍ଷେତ୍ରର ଇ.ଆର୍.ଓ. ତଥା ଉପଜିଲ୍ଲାପାଳ ଡ଼ଃ ସୌମ୍ୟରୂପା ରଥ, ୬୪-ବିରମହାରାଜପୁର ବିଧାନସଭା କ୍ଷେତ୍ରର ଇ.ଆର୍.ଓ ତଥା ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର, ସମସ୍ତ ଏ.ଇ.ଆର୍.ଓ ତଥା ବିଡିଓ, ଏ.ଇ.ଆର୍.ଓ ତଥା ତହସିଲଦାର, ଏ.ଇ.ଆର୍.ଓ ତଥା ଡେପୁଟି କଲେକ୍ଟର ଏବଂ ଡେପୁଟି କଲେକ୍ଟର (ନିର୍ବାଚନ) ଉପସ୍ଥିତ ଥିଲେ । ବୈଠକରେ ଶ୍ରୀ ପରମେଶ୍ୱରନ୍ ଚିଠା ଭୋଟର ତାଲିକା ପ୍ରକାଶନ ପରବର୍ତ୍ତୀ କାର୍ଯ୍ୟଗୁଡ଼ିକର ଅଗ୍ରଗତି, ଦାବି ଓ ଆପତ୍ତି ଗ୍ରହଣ, ଭୋଟରଙ୍କ ସହ ସମନ୍ୱୟ, କ୍ଷେତ୍ରସ୍ତରରେ ବିଏଲ୍ଓମାନଙ୍କ କାର୍ଯ୍ୟ, ସମସ୍ତ ଯୋଗ୍ୟ ମତଦାତାଙ୍କ ଅନ୍ତର୍ଭୁକ୍ତି, ସ୍ୱଚ୍ଛତା, ନିରପେକ୍ଷତା ଏବଂ ସମୟବଦ୍ଧତା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ, କୌଣସି ଯୋଗ୍ୟ ମତଦାତା ଯେପରି ଭୋଟର ତାଲିକାରୁ ବାଦ୍ ପଡ଼ିବେ ନାହିଁ ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ମଧ୍ୟ ତାଲିକାରେ ରହିବ ନାହିଁ । ପ୍ରତ୍ୟେକ ଦାବି ଓ ଆପତ୍ତିର ନିଷ୍ପତ୍ତି ଆଇନ ଓ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ କରିବାକୁ ସେ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ସମସ୍ତ ସମ୍ପୃକ୍ତ ଅଧିକାରୀ ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ସମୟସୀମା ମଧ୍ୟରେ ନିର୍ଦ୍ଧାରିତ କାର୍ଯ୍ୟ ସମାପ୍ତ କରିବା ପାଇଁ ସେ ଆହ୍ୱାନ ଜଣାଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ପରମେଶ୍ୱରନ୍ ସୋନପୁର ତହସିଲ କାର୍ଯ୍ୟାଳୟ ଏବଂ ୬୫-ସୋନପୁର ବିଧାନସଭା କ୍ଷେତ୍ରର ଇ.ଆର୍.ଓ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ଏସ୍.ଆଇ.ଆର୍.-୨୦୨୬ ଅନ୍ତର୍ଗତ ଚିଠା ଭୋଟର ତାଲିକା ପ୍ରକାଶନ ସମ୍ବନ୍ଧୀୟ ବିଭିନ୍ନ ରେକର୍ଡ, ଦାବି ଓ ଆପତ୍ତି ନିଷ୍ପତ୍ତି ପ୍ରକ୍ରିୟା, ଦଲିଲ ଯାଞ୍ଚ, ରେଜିଷ୍ଟର ରକ୍ଷଣାବେକ୍ଷଣ ଏବଂ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବା ସହ ବିଭିନ୍ନ ବି.ଏଲ୍.ଓ ତଥା ବି.ଏଲ୍.ଓ ସୁପରଭାଇଜର ମାନଙ୍କ ସହିତ ଆଲୋଚନା କରିଥିଲେ । କ୍ଷେତ୍ରସ୍ତରରେ ହେଉଥିବା କାର୍ଯ୍ୟରେ ସେ ସନ୍ତୋଷ ବ୍ୟକ୍ତ କରିବା ସହ ନିର୍ବାଚନ ଆୟୋଗଙ୍କ ସମସ୍ତ ନିର୍ଦ୍ଦେଶାବଳୀକୁ ଅକ୍ଷରେ ଅକ୍ଷରେ ପାଳନ କରି ସଠିକ୍, ନିରପେକ୍ଷ ଏବଂ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ ଏସଆଇଆର୍‌ କାର୍ଯ୍ୟ ସମୀକ୍ଷା ସମୟରେ ବିଭିନ୍ନ ରାଜନୈତିକ ଦଳର ଜିଲ୍ଲା ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.