
ସିନ୍ଧେକେଲା, (କେପିଏନ୍ଏସ୍) : ସିନ୍ଧେକେଲା ଥାନା ଅଞ୍ଚଳରେ ଥିବା ମା’ ଦ୍ୱାରସେନୀ ମନ୍ଦିରରୁ ଚୋରି ଅଭିଯୋଗ । ମନ୍ଦିରରେ ଥିବା ମା’ଙ୍କ ସୁନା ଓ ରୂପା ଅଳଙ୍କାର ସହ ହୁଣ୍ଡିରେ ଥିବା ଟଙ୍କା ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋରମାନେ ମନ୍ଦିରର ଗ୍ରିଲ୍ ଗେଟ୍ ଭାଙ୍ଗି ଭିତରକୁ ପ୍ରବେଶ କରିଥିବା ଜଣାପଡ଼ିଛି । ଗତ ୩ ଦିନ ଧରି ମନ୍ଦିର ପୂଜକଙ୍କ ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବାରୁ ପୂଜକ ମନ୍ଦିରକୁ ଯାଉନଥିଲେ । ମନ୍ଦିରର ଗେଟ୍ ଚାବି ଅନ୍ୟ ଜଣଙ୍କ ପାଖରେ ଥିବା ବେଳେ ଆଜି ସକାଳେ ମନ୍ଦିରରେ ଚୋରି ହୋଇଥିବା ଜଣାପଡ଼ିଥିଲା । ଖବର ପାଇ ମନ୍ଦିର କମିଟିର ସଦସ୍ୟ ଓ ଗ୍ରାମବାସୀ ମନ୍ଦିରରେ ପହଞ୍ଚିଥିଲେ । ପରେ ତୁରନ୍ତ ସିନ୍ଧେକେଲା ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଚୋରକୁ ଧରିବା ପାଇଁ ଅଂଚଳବାସୀ ଦାବୀ କରିଛନ୍ତି ।