
ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ବାର୍ ଏସୋସିଏସନର ସଭାପତି ଭୀଷ୍ମ ଦେବ ସରାଫଙ୍କ ଉପରେ ଦିନଦିଆ ମରଣାନ୍ତକ ଆକ୍ରମଣ ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗୁରୁବାର କଚେରୀ ସମ୍ମୁଖରେ ଦୁଇଜଣ ବ୍ୟକ୍ତି ବାଇକରୁ ପଡ଼ିଯାଇଥିବା ବେଳେ ସେମାନଙ୍କୁ ସହାୟତା କରିବାକୁ ଯାଇଥିଲେ ବାର୍ ଏସୋସିଏସନର ସଭାପତି ଭୀଷ୍ମ ଦେବ ସରାଫ ଓ ତାଙ୍କ ସହ ଥିବା ଜଣେ ବରିଷ୍ଠ ଆଇନଜୀବୀ । ଅଭିଯୋଗ ଅନୁସାରେ, ସହାୟତା କରିବା ପରିବର୍ତ୍ତେ ଦୁଇ ଦୁର୍ବୃତ୍ତ ହଠାତ୍ ବିୟର ବୋତଲରେ ଭୀଷ୍ମ ଦେବ ସରାଫଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଏହି ଘଟଣାରେ ସେ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ପରେ ଆଇନଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସହର ମଝିରେ ଏଭଳି ଆକ୍ରମଣ ଘଟିବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିଛି । ତେବେ ବରଗଡ଼ରେ ନିଶାସକ୍ତ ବ୍ୟକ୍ତିଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଉଥିବା ଅଭିଯୋଗ ହେଉଥିବା ବେଳେ, ଏହି ଘଟଣା ସେହି ପ୍ରସଙ୍ଗକୁ ପୁଣିଥରେ ସାମ୍ନାକୁ ଆଣିଛି । ଘଟଣାର ତଦନ୍ତ ଚାଲିଥିବା ବେଳେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆଇନଜୀବୀ ଓ ସାଧାରଣ ଲୋକ । ପୋଲିସ ପକ୍ଷରୁ ଏନେଇ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି ।