
ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ସଦର ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଙ୍ଘ ରାୟଗଡା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ସଂଘ ଦ୍ୱାରା ମନୋନୀତ ପରିଚାଳନା କମିଟିର ଜିଲ୍ଲା ସଭାପତି ବାଦଲ କୁମାରଙ୍କ ସଭାପତିତ୍ୱରେ କାର୍ଯ୍ୟକାରୀ ସଭାପତି ଶ୍ୟାମ କୁମାର ଦାଶ, ସାଧାରଣ ସମ୍ପାଦକ ବିଦ୍ୟା ଭୂଷଣ ପଣ୍ଡା, କୋଷାଧ୍ୟକ୍ଷ ମନୋଜ ଜେନା ସମେତ ନବେ ପ୍ରତିଶତ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ବୈଠକ ପ୍ରାରମ୍ଭରେ ସାଧାରଣ ସମ୍ପାଦକ ଶ୍ରୀ ପଣ୍ଡା ସ୍ୱାଗତ ଅଭିବାଦନ, କମିଟି ସଦସ୍ୟଙ୍କ ପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପଠନ ଏବଂ ବୈଠକର ଉଦ୍ଦେଶ୍ୟ ଉପସ୍ଥାପନା କରିଥିଲେ । ସଭାପତି ଡ. ବାଦଲ କୁମାର କହିଥିଲେ ଯେ, ସଙ୍ଘ ଏକ ଶୃଙ୍ଖଳିତ ମାର୍ଗ । ସଂଘରେ ଜଡ଼ିତ ଥିଲେ ନିଜର ଶ୍ରଦ୍ଧା, ସମ୍ମାନ ଓ ସମ୍ପର୍କକୁ ସୁଦୃଢ଼ କରିବା ସହିତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ, କମ୍ପାନୀମାନଙ୍କ ସହିତ ନେତୃତ୍ୱର ସୁସମ୍ପର୍କ ସ୍ଥାପନ, ଗଠନମୂଳକ ସମାଲୋଚନା ଓ ସହଯୋଗର ହାତ ଓ ହାତକୁ ହାତ ଛନ୍ଦି କାର୍ଯ୍ୟ କରିବାକୁ ହୋଇଥାଏ । ସାମ୍ବାଦିକତା କ୍ଷେତ୍ରରେ ସବୁବେଳେ ନିଜକୁ ଶୃଙ୍ଖଳିତ ରଖିବା, ନିଶା ଦ୍ରବ୍ୟ ଠାରୁ ଦୁରେଇ ରହିବା, ଅହଂକାରିତା ତ୍ୟାଗ କରି ବରିଷ୍ଠ କନିଷ୍ଠ ମନୋଭାବରୁ ଦୁରେଇ ରହି ସାମ୍ବାଦିକ ମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଅତି ଆବଶ୍ୟକ ବୋଲି ମାର୍ଗ ଦର୍ଶନ ଦେଇଥିଲେ । ଜଣେ ବ୍ୟକ୍ତି ଏକାଧିକ ପଦବୀରେ ରହି ସଂଗଠନକୁ ପରିଚାଳନା କରିବା ଉଚିତ ନୁହେଁ, ବୋଲି ବ୍ୟକ୍ତିଗତ ମତ ପୋଷଣ କରିଥିଲେ । ଜିଲ୍ଲା ସାମ୍ବାଦିକ ସଙ୍ଘ ରାୟଗଡ ତରଫରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସାମ୍ବାଦିକ ମାନଙ୍କ କ୍ଷେତ୍ରରେ ଉପୁଜିଥିବା ସମସ୍ୟାର ସମାଧାନ, ଦିବଂଗତ ସାମ୍ବାଦିକ ମାନଙ୍କ ପରିବାରକୁ ସହାୟତା, ଦୁର୍ଘଟଣାଗ୍ରସ୍ତ ସାମ୍ବାଦିକଙ୍କୁ ସହାୟତା ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା । ପରେ ପରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଦାଶ କହିଥିଲେ କି ଯେକୌଣସି ଲୋକ ହେଉନା କାହିଁକି ଫୋନ କିମ୍ବା ସମ୍ମୁଖ ଆଲୋଚନା ବେଳେ ଆଚରଣ ଓ ଉଚ୍ଚାରଣରେ ଶାଳୀନତା ଓ ସଂଯମତା ରକ୍ଷା କରିବା ଉଚିତ । ସଠିକ ବିଷୟରେ ଉପସ୍ଥାପନା କରିବା ଓ ଶାଳୀନତା ବ୍ୟବହାର କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା । କୋଷାଧ୍ୟକ୍ଷ ଶ୍ରୀ ଜେନା ବାର୍ଷିକ ଆୟବ୍ୟୟ ବିବରଣୀ ଉପସ୍ଥାପନା କରିଥିଲେ । ବାର୍ଷିକ ଆୟବ୍ୟୟର ହିସାବ ଅଡିଟ ହେବା ଉଚିତ୍ ବୋଲି ମତ ପ୍ରକାଶ ପାଇଥିଲା । ସର୍ବୋପରି ବୈଠକରେ ସାମ୍ବାଦିକ ମାନଙ୍କର ସମସ୍ୟା, ସୁରକ୍ଷା, ବୀମା ଓ ବିଭିନ୍ନ ପ୍ରକାରର ଯୋଜନାର ସହାୟତା, ବାର୍ଷିକ ସଭ୍ୟଚାନ୍ଦା ବୃଦ୍ଧି, ସଂଘରେ ଶୃଙ୍ଖଳିତ ନଥିବା ସାମ୍ବାଦିକମାନଙ୍କୁ ବହିଷ୍କାର, ନୂତନ ସଦସ୍ୟ ଯୋଗ ଦେବାକୁ ହେଲେ ଅତି କମରେ ଛଅ ମାସ ପର୍ଯ୍ୟନ୍ତ କାର୍ଯ୍ୟକଳାପ ଅନୁଧ୍ୟାନ କରିବା ଉଚିତ୍ । ସଂଘ ହିଁ ପ୍ରମୁଖ ବ୍ୟକ୍ତି ନୁହେଁ, ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା । ଉପସ୍ଥିତ ସଦସ୍ୟମାନେ ସାମ୍ବାଦିକ କ୍ଷେତ୍ରରେ ନିଜ ନିଜର ସମସ୍ୟା ଓ ମତାମତ ପ୍ରକାଶ କରିଥିଲେ । ଆଗତ ସମସ୍ୟାର ସମାଧାନ ସୁନିଶ୍ଚିତ ଚେଷ୍ଟା କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ଶେଷରେ ଜିଲ୍ଲା ସଭାପତି ଶ୍ରୀ ଶ୍ୟାମ କୁମାର ଦାଶଙ୍କ ଅନୁମତି କ୍ରମେ ସଂଘର ସମ୍ପାଦକ ପ୍ରସାଦ ଲିମା, ଉପସ୍ଥିତ ପରିଚାଳନା କମିଟିର ସମସ୍ତ ମଞ୍ଚାସୀନ ପଦାଧିକାରୀ ଓ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।