
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଦାୟିତ୍ୱରେ ଅବହେଳା କରିବା ଅଭିଯୋଗରେ ଲୋଇସିଂହା ଥାନା ସାଲେଭଟା ଫାଣ୍ଡି ଅଧିକାରୀ ଭରତ ସାହୁଙ୍କୁ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନିଲମ୍ବିତ କରିଛନ୍ତି । ଅନ୍ୟଦେଶ ପର୍ଯ୍ୟନ୍ତ ଶ୍ରୀ ସାହୁ କଣ୍ଟାବାଞ୍ଜି ଏସ୍ଡିପିଓଙ୍କ କାର୍ଯ୍ୟାଳୟରେ ପ୍ରତ୍ୟହ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଥିବା ଜଣାଯାଇଛି । ଅଭିଯୋଗ ମୁତାବକ, ବେଆଇନ ଭାବେ ମଦ କାରବାର କରୁଥିବା ଅଭିଯୋଗରେ ସାଲେଭଟାର ଗଙ୍ଗାଧର ମହଲିଙ୍ଗଙ୍କ ଠାରୁ ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ୧୦୦ ବୋତଲ ମଦ ଜବତ କରିଥିଲେ । ତେବେ ଜବତ ତାଲିକାରେ ସେ ଏହାକୁ ୧୦ ବୋତଲ ଦର୍ଶାଇଥିଲେ । ଏନେଇ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବା ପରେ ବଲାଙ୍ଗିର ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଡିପିଓ ସରୋଜ ଉପାଧ୍ୟାୟ ଏବଂ ଲୋଇସିଂହା ଥାନାଧିକାରୀ ସିପୋରା ସାଏରା ଲୁଗୁନ ଘଟଣାର ତଦନ୍ତ କରିଥିଲେ । ତଦନ୍ତ ରିପୋର୍ଟ ମୁତାବକ ଘଟଣାର ସତ୍ୟାସତ୍ୟ ରହିଥିବାରୁ ଫାଣ୍ଡି ଅଧିକାରୀ ଭରତ ସାହୁଙ୍କୁ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନିଲମ୍ବିତ କରିଥିବା ଜଣାଯାଇଛି ।