jayashree

ଜିଲ୍ଲାରେ ରାସାୟନିକ ବିପଦକୁ ନେଇ ପ୍ରଶାସନର ବଡ଼ ପ୍ରସ୍ତୁତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାରେ ସମ୍ଭାବ୍ୟ ରାସାୟନିକ ଦୁର୍ଘଟଣାର ସଫଳ ପରିଚାଳନା, ଜରୁରୀକାଳୀନ ଯୋଜନା, ପୂର୍ବ ପ୍ରସ୍ତୁତି ତଥା ପରବର୍ତ୍ତୀ ପ୍ରତିକ୍ରିୟାର ସମୀକ୍ଷା କରିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ଆପାତକାଳୀନ ଗୋଷ୍ଠୀ ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଓ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ପ୍ରମୁଖ ଯୋଗଦେଇ ପ୍ରସ୍ତୁତିର ସମୀକ୍ଷା କରିବା ସହ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଜିଲ୍ଲାର ବିଭିନ୍ନ ଶିଳ୍ପାନୁଷ୍ଠାନ, କାରଖାନା ଏବଂ ରାସାୟନିକ ପଦାର୍ଥ ପରିବହନ ସମୟରେ ହୋଇପାରୁଥିବା ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ବ୍ୟାପକ ଆଲୋଚନା କରାଯାଇଥିଲା । କୌଣସି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେଲେ, ତାହାର ତୁରନ୍ତ ଓ ସଫଳ ମୁକାବିଲା ପାଇଁ ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି । ଏଥିସହ ଜିଲ୍ଲାର ସମସ୍ତ ଶିଳ୍ପାନୁଷ୍ଠାନରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଏବଂ ନିୟମିତ ଭାବେ ସୁରକ୍ଷା ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୃକ୍ତ ବିଭାଗ, ଅଗ୍ନିଶମ ବାହିନୀ, ପୋଲିସ ଏବଂ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତିକୁ ପରଖିବା ପାଇଁ ନିୟମିତ ମକ୍‌ଡ୍ରିଲ୍ କରାଯିବ । ରାସାୟନିକ ଦୁର୍ଘଟଣା ସମୟରେ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଆମ୍ବୁଲାନ୍ସ, ଔଷଧ ଏବଂ ଡାକ୍ତରୀଦଳକୁ ସଦାସର୍ବଦା ପ୍ରସ୍ତୁତ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଅପରପକ୍ଷରେ, ଦୁର୍ଘଟଣା ସମୟରେ ନିଜକୁ କିପରି ସୁରକ୍ଷିତ ରଖିବେ, ସେ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ । ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମୃତ କୁମାର ପଣ୍ଡା, ଡେପୁଟି କଲେକ୍ଟର ଦେବସ୍ମିତ ମଲ୍ଲିକ, ଡେପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶୋଭିନା ଭୋଇ, ଶ୍ରମ ଓ କାରଖାନା ନିରୀକ୍ଷକ ସ୍ୱାଧୀନ କୁମାର ବେହେରା, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ ବବିତା ସିଂ, ଆଞ୍ଚଳିକ ପରିବହନ ଅଧିକାରୀ ପ୍ରିୟବ୍ରତ ମହାନ୍ତି, ଓସଡମା ଜିଲ୍ଲା ପ୍ରକଳ୍ପ ଅଧିକାରୀ ମହେନ୍ଦ୍ର କୁମାର ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ରାସାୟନିକ ବିପଦରୁ ଜିଲ୍ଲାକୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଓ ପ୍ରସ୍ତୁତ ଅଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.