
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସୋହେଲା ବ୍ଲକ ଅନ୍ତର୍ଗତ ହଲଦୀପାଲି ଠାରେ ଦିବଙ୍ଗତ ଜନନେତା ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ପବିତ୍ର ସ୍ମୃତିରେ ଆୟୋଜିତ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୪୧୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଶିବିରରେ ବୁର୍ଲା ରକ୍ତଭଣ୍ଡାର ଦ୍ୱାରା ୧୭୬ ୟୁନିଟ୍, ବରଗଡ଼ ରକ୍ତଭଣ୍ଡାର ଦ୍ୱାରା ୧୨୧ ୟୁନିଟ୍, ସମ୍ବଲପୁର ରକ୍ତଭଣ୍ଡାର ଦ୍ୱାରା ୬୪ ୟୁନିଟ୍ ଏବଂ ପଦ୍ମପୁର ରକ୍ତଭଣ୍ଡାର ଦ୍ୱାରା ୫୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ମୋଟ ୪୧୭ ଜଣ ସ୍ୱେଚ୍ଛାକୃତ ରକ୍ତଦାତା ଏହି ମହତ୍ କାର୍ଯ୍ୟରେ ସାମିଲ ହୋଇ ମାନବସେବାର ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ । ଏହି ମହାନ ରକ୍ତଦାନ ଶିବିରର ପରିଚାଳନାରେ ବରଗଡ଼ର ସଂକଳ୍ପ ପରିବାର, ନିଷ୍ଠା ପରିବାର, ସୋହେଲାର ଜେ.ଡି.ଏ. ସାମାଜିକ ଅନୁଷ୍ଠାନ, ରାଇଜ୍ ଅଫ୍ ଲାୟନ୍ ସାମାଜିକ ଅନୁଷ୍ଠାନ ଏବଂ ମାରୱାଡ଼ି ଯୁବାମଞ୍ଚର ସଦସ୍ୟ ଓ ସଦସ୍ୟାମାନେ ସକ୍ରିୟ ସହଯୋଗ କରିଥିଲେ । ପ୍ରବଳ ବର୍ଷା ସତ୍ତ୍ୱେ ମଧ୍ୟ ନିଜର ପ୍ରିୟନେତା ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇବା ପାଇଁ ବହୁ ସଂଖ୍ୟକ ଲୋକ ରକ୍ତଦାନ କରିବାକୁ ଧାଡ଼ିରେ ଠିଆ ହୋଇଥିଲେ । ସମାଜସେବା ପ୍ରତି ତାଙ୍କର ଅବଦାନ ଓ ମାନବିକ ଆଦର୍ଶକୁ ସ୍ମରଣ କରି ରକ୍ତଦାନ ମାଧ୍ୟମରେ ତାଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ବୋଲି ରକ୍ତଦାତାମାନେ ମତ ପ୍ରକାଶ କରିଥିଲେ । ଏହି ଶିବିରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ପଦ୍ମଶ୍ରୀ ଓ ସୁଶାନ୍ତ ସିଂଙ୍କୁ ହୃଦୟରୁ ଭଲ ପାଉଥିବା ବ୍ୟକ୍ତି ଯୋଗ ଦେଇଥିଲେ । ସମସ୍ତ ସ୍ୱେଚ୍ଛାକୃତ ରକ୍ତଦାତା, ସହଯୋଗୀ ସାମାଜିକ ଅନୁଷ୍ଠାନ, ରକ୍ତଭଣ୍ଡାରର କର୍ମଚାରୀ, ସ୍ୱେଚ୍ଛାସେବୀ ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସହଯୋଗ କରିଥିବା ସମସ୍ତଙ୍କୁ ସୁଶାନ୍ତ ସିଂ ସ୍ମୃତି କମିଟି ତରଫରୁ ଆନ୍ତରିକ କୃତଜ୍ଞତା ଓ ଅଶେଷ ଧନ୍ୟବାଦ ଜଣାଇଥିଲେ । ରକ୍ତଦାତାଙ୍କ ମହାନ ଅବଦାନ ଅନେକ ଅମୂଲ୍ୟ ଜୀବନ ବଞ୍ଚାଇବାରେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଲୋକେ ପ୍ରକାଶ କରିଥିଲେ ।