
ମୁମ୍ବାଇ, (କେପିଏନ୍ଏସ୍) : ଚଳଚ୍ଚିତ୍ର ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ‘ଗଜନୀ’ ଏବଂ ‘ଲଗାନ୍’ ଭଳି ବହୁ ଚର୍ଚ୍ଚିତ ଚଳଚ୍ଚିତ୍ରରେ ନିଜର ଦମଦାର ଅଭିନୟ ପାଇଁ ଜଣାଶୁଣା ବରିଷ୍ଠ ଅଭିନେତା ପ୍ରଦୀପ ରାୱତଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଗତ କିଛି ସମୟ ଧରି ସେ ରକ୍ତ କର୍କଟ (ବ୍ଲଡ୍ କ୍ୟାନ୍ସର) ରୋଗରେ ପୀଡ଼ିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇର ଏକ ମେଡିକାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୀପ ରାୱତ ପ୍ରାୟ ୫ ବର୍ଷ ତଳେ କ୍ୟାନ୍ସର ରୋଗକୁ ମାତ୍ ଦେଇ ସୁସ୍ଥ ହୋଇଥିଲେ । କିନ୍ତୁ ପ୍ରାୟ ଦେଢ଼ ମାସ ତଳେ ତାଙ୍କ ଶରୀରରେ ପୁଣି ଥରେ କର୍କଟ ରୋଗ ଚିହ୍ନଟ ହୋଇଥିଲା, ଯାହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହେବାକୁ ଲାଗିଲା । ତାଙ୍କ ବିଜନେସ୍ ମ୍ୟାନେଜର ଏହି ଦୁଃଖଦ ଖବର ନେଇ ସୂଚନା ଦେଇଛନ୍ତି । ବି.ଆର. ଚୋପ୍ରାଙ୍କ ମହାଭାରତ ଧାରାବାହିକରେ ‘ଅଶ୍ୱତ୍ଥାମା’ ଭୂମିକାରେ ଅଭିନୟ କରି ସେ ଦେଶବ୍ୟାପୀ ଘରେ ଘରେ ପରିଚିତ ହୋଇଥିଲେ । ଏହା ପରେ ସେ ହିନ୍ଦୀ, ତେଲୁଗୁ, ତାମିଲ୍, କନ୍ନଡ଼, ମାଲାୟାଲମ୍ ଏବଂ ବଙ୍ଗଳା ସମେତ ଅନେକ ଆଞ୍ଚଳିକ ସିନେମାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଥିଲେ । ହିନ୍ଦୀ ସିନେମା ‘ଲଗାନ୍’, ‘ସର୍ଫରୋଶ୍’, ଏବଂ ‘ଗଜନୀ’ରେ ତାଙ୍କର ଅଭିନୟ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା । ବିଶେଷ କରି ଓଡ଼ିଆ ଚଳଚ୍ଚିତ୍ର ‘ଜଗା ହାତରେ ପଘା’ରେ ସେ ଖଳନାୟକ ଭୂମିକାରେ ନଜରରେ ଆସିଥିଲେ, ଯାହାକୁ ଓଡ଼ିଶାର ଦର୍ଶକ ବେଶ୍ ପସନ୍ଦ କରିଥିଲେ। ତାଙ୍କ ବିୟୋଗରେ ସାରା ଭାରତୀୟ ସିନେ ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି ।