
- ଜାତୀୟ ପକ୍ଷୀ ‘ମୟୁର’ ସୁରକ୍ଷା ନେଇ ଡିଏଫ୍ଓଙ୍କୁ ଦାବିପତ୍ର
ବଲାଙ୍ଗିର, (କେପିଏନ୍ଏସ୍) : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ନିର୍ମାଣ ପରେ କେବଳ ଲୋକଙ୍କ ବିସ୍ଥାପନ ନୁହେଁ, ବନ୍ୟଜନ୍ତୁଙ୍କ ଜୀବନ ମଧ୍ୟ ସଙ୍କଟରେ ପଡ଼ିଥିବା ଅଭିଯୋଗ ଉଠିଛି । ଜଙ୍ଗଲ ଓ ପ୍ରାକୃତିକ ବାସସ୍ଥାନ ଜଳମଗ୍ନ ହେବା ସହ ଲକ୍ଷାଧିକ ଗଛ କାଟି ଦିଆଯାଇଥିବାରୁ ବରାହ, ହରିଣ, ଠେକୁଆ, କୁଟୁରା ଓ ଜାତୀୟ ପକ୍ଷୀ ମୟୁର ସମେତ ଅନେକ ବନ୍ୟଜନ୍ତୁ ଏବେ ଖାଦ୍ୟ ଓ ଆଶ୍ରୟ ସନ୍ଧାନରେ ଗାଁ ଓ ରାଜପଥକୁ ଚାଲି ଆସୁଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ ଦାବି କରି ଦେବାଳୟ ଐତିହ୍ୟ ସୁରକ୍ଷା କମିଟି, ବଲାଙ୍ଗିର ପକ୍ଷରୁ ବନ ବିଭାଗର ଡିଏଫ୍ଓଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସହକାରୀ ବନ ସଂରକ୍ଷକ (ଏସିଏଫ୍) ମାନସ ରଞ୍ଜନ ବେହେରା ଏହି ଦାବିପତ୍ର ଗ୍ରହଣ କରିଥିଲେ । ଦାବିପତ୍ରରେ ଚାରିଟି ପ୍ରମୁଖ ପ୍ରସ୍ତାବ ଉପସ୍ଥାପନ କରାଯାଇଛି । ଜଳବନ୍ଦୀ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ପୁନର୍ବାସ, ଡ୍ୟାମ ପରିସରରେ ସଚେତନତା ବୋର୍ଡ ସ୍ଥାପନ, ଜାତୀୟ ପକ୍ଷୀ ମୟୁର ସମେତ ବନ୍ୟଜନ୍ତୁଙ୍କ ନିରାପଦ ଚଳାଚଳ ପାଇଁ ୱାଇଲ୍ଡଲାଇଫ୍ କରିଡର ନିର୍ମାଣ, ଏବଂ ବେଆଇନ ଶିକାର ରୋକିବାକୁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିବାକୁ ଦାବି କରାଯାଇଛି । କମିଟି ପକ୍ଷରୁ କୁହାଯାଇଛି ଯେ, ବନ୍ୟଜନ୍ତୁ ସୁରକ୍ଷା ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବା ସହ ବେଆଇନ ଶିକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବା ଆବଶ୍ୟକ । ଏହାଦ୍ୱାରା ମୟୁର ସମେତ ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ସୁରକ୍ଷା ସୁନିଶ୍ଚିତ ହେବ ବୋଲି କମିଟି ଆଶା ପ୍ରକାଶ କରିଛି । ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ଜୟକୃଷ୍ଣ ମିଶ୍ର, ସମ୍ପାଦକ ପ୍ରଶାନ୍ତ ମହାକୁର, ସହ-ସମ୍ପାଦକ ଶମ୍ଭୁ ପ୍ରସାଦ ଶତପଥୀ, କୋଷାଧ୍ୟକ୍ଷ ଭବାନୀ ଶଙ୍କର ଭୋଇ, ଅର୍ଜୁନ ସାହୁ, ରିଣ୍ଟୁ ସାହୁ ଓ ସତ୍ୟନାରାୟଣ ତ୍ରିପାଠୀଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।