
ଭାବବିହ୍ଵଳ ପରିବେଶରେ ଅରିଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ସୁବର୍ଣ୍ଣପୁର/ବିନିକା, (କେପିଏନ୍ଏସ୍) : ଭାବବିହ୍ଵଳ ପରିବେଶରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସସ୍ୱ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷୟିତ୍ରୀ ନମିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିନିକା ବ୍ଲକ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସର ଗ୍ରହଣ କରୁଥିବା ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡାଙ୍କୁ ମାନପତ୍ର, ଉପଢୌକନ ଓ ପେନସନ କାଗଜପତ୍ର ଦେଇ ସମ୍ମାନିତ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଲକ୍ଷପତି ବେହେରା ମୁଖ୍ୟବକ୍ତା, ସାଂସଦ ପ୍ରତିନିଧି ବିଶ୍ୱମ୍ବର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସୁଶାନ୍ତ କମ୍ପ, ଯୁବନେତା ସୌମ୍ୟରଞ୍ଜନ ନାୟକ, ପୂର୍ବତନ ଏସ୍ଏମ୍ସି ସଭାପତି ପ୍ରକାଶ କର୍ମୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଶ୍ରୀ ପଣ୍ଡା ଜଣେ ସାଧୁ, ସତ୍ୟପ୍ରିୟ, ସମୟାନୁବର୍ତ୍ତୀ, ଜନପ୍ରିୟ ଶିକ୍ଷକ ବୋଲି କହିଥିଲେ । ବିନିକା ବ୍ଲକକୁ ଶିକ୍ଷାକ୍ଷେତ୍ରରେ ଆଗେଇ ନେବା ପାଇଁ ତାଙ୍କ ଅବଦାନ ଥିଲା ଅନନ୍ୟ । ତାଙ୍କ ଶୃଙ୍ଖଳା, ସମୟାନୁବର୍ତ୍ତିତା ଓ ସ୍ନେହ ବତ୍ସଳତାକୁ ମନେ ପକାଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜ ନିଜ ଅନୁଭୂତି କହିଥିଲେ । ବିଭିନ୍ନ ବିଦ୍ୟାଳୟରେ କରିଯାଇଥିବା ଉତ୍ତମ ଶିକ୍ଷାଦାନ ଶିକ୍ଷକ ସମାଜର ପଥ ପ୍ରଦର୍ଶକ ହୋଇ ରହିବ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଶ୍ରୀ ପଣ୍ଡା ନିଜ ଶିକ୍ଷକତା ଜୀବନର ବିଗତ ଦିନର କଥାର ସ୍ମୃତି ଚାରଣ କରିବା ସହ ଆଶୀର୍ବଚନ ପ୍ରଦାନ କରିଥିଲେ । ବାଙ୍କୀଘିରଡ଼ି କ୍ଲଷ୍ଟର ଓ ଆଖପାଖ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପହାର ଓ ଉପଢୌକନ ପ୍ରଦାନ ପୂର୍ବକ ଆଶୀର୍ବାଦ ନେଇଥିଲେ । ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭବାନୀ ଶଙ୍କର ଜଗଦଲ୍ଲା ମଞ୍ଚ ପରିଚାଳନା ଓ ସହକାରୀ ଶିକ୍ଷୟିତ୍ରୀ ଗୀତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷାପ୍ରେମୀ, ଅବିଭାବକ, ଅବିଭାବିକା, ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ସହଯୋଗ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀମାନେ ସଭା ପ୍ରାରମ୍ଭରେ ସ୍ୱାଗତ ସଂଗୀତ ଓ ସଭା ଶେଷରେ ବିଦାୟ ସଂଗୀତ ଗାଇଥିଲେ । ପରେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବିଭାବକ ତାଙ୍କ ସିନ୍ଦୁରପୁର ସ୍ଥିତ ବାସଭବନକୁ ସଂକୀତ୍ର୍ତ୍ତନ ସହ ପାଦଧୌତ କରି ପାଛୋଟି ନେବା ବେଳେ ତାଙ୍କ ପରିବାର ବର୍ଗ ସ୍ୱାଗତ କରିଥିଲେ । ଆଦର୍ଶ ପ୍ରଧାନ ଶିକ୍ଷକଙ୍କ ଅବସର ଅଂଚଳରେ ଭାବ ବିହ୍ଵଳ ପରିବେଶ ସୃଷ୍ଟି କରିଛି ।