jayashree

ଭୁଲ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭୁଲ୍ ଚିକିତ୍ସା ଯୋଗୁଁ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଗତକାଲି ରାତି ୧୨ ଟା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମର୍ଜେନ୍ସି ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସୋନପୁର ନିକଟସ୍ଥ ପାଣିସିଆଲି ଗାଁର (ଅଜୁ) ପ୍ରଶାନ୍ତ ତ୍ରିପାଠୀ । ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଗତ ରାତିରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଦାୟିତ୍ୱରେ ଥିବା ଡାକ୍ତର ପ୍ରାଥମିକ ଚିକିତ୍ସା କରି ସୁଗର୍ କମଥିବା କହିବା ସହିତ ଗ୍ଲୁକୋଜ ଚଢ଼ାଇ ଥିଲେ । ପରେ ସେ ସୁସ୍ଥ ଅନୁଭବ କରି ଘରକୁ ଯିବା ପାଇଁ କହିଥିଲେ । ହେଲେ ଡାକ୍ତର ତାଙ୍କୁ ପୁଣି ଏକ ଇଞ୍ଜେକସନ ଦେଇଥିବା ଅଭିଯୋଗ ହୋଇଛି । ଭୁଲ୍ ଇଞ୍ଜେକସନ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏନେଇ ସୋନପୁର ଥାନାରେ ଏକ ଲିଖିତ ଅଭିଯୋଗ ପରିବାର ପକ୍ଷରୁ କରାଯାଇଥିବା ବେଳେ ପୋଲିସ ଡାକ୍ତରଖାନାକୁ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ଅଧିକ ତଦନ୍ତ କରୁଥିବା ଆଇଆଇସି ଯାଦବ ବାଗ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.